ଜବତ ବାଣ ଓ ମଦକୁ ଜଣେ ହୋମଗାର୍ଡ ଅନ୍ୟ ପୁଲିସ୍ କର୍ମଚାରୀଙ୍କ ଜାଣତରେ ଥାନାରୁ ଚୋରାଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ ମୁଦୁଲିଙ୍କ ବିରୋଧରେ। ଶନିବାର ବେଗୁନିଆ ଥାନା ପୁଲିସ କଣ୍ଟାବାଡ଼ ଗାଁରେ ଏକ ବେଆଇ ବାଣ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ବେଗୁନିଆ ଷ୍ଟାଡିୟମ ନିକଟରୁ ଏକ ମଦ ବୋଝେଇ କାର୍କୁ ଜବତ କରିଥିଲା।
ଏହି କାର୍ଟି ସିରିଜ୍ ଦୁର୍ଘଟଣା ମଧ୍ୟ ଘଟାଇଥିବା ଅଭିଯୋଗ ହୋଇଛି। ଜବତ ବାଣ ଓ ମଦ ଥାନା ପରିସରରେ ଥିଲା। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ହୋମଗାର୍ଡ ପ୍ରକାଶ ମୁଦୁଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଓମିନି ଗାଡ଼ିରେ ବହୁ ପରିମାଣରେ ବାଣ ଓ ମଦ ନେଇ କୌଣସି ସ୍ଥାନକୁ ଯାଉଥିଲେ। ସେତିକି ବେଳେ ବେଗୁନିଆ ସରପଞ୍ଚ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଧରିଥିଲେ। ବାଣ ଓ ମଦ ନେଇ ସେମାନେ କେଉଁଆଡ଼େ ଯାଉଛନ୍ତି ବୋଲି ଲୋକେ ପଚାରିଥିଲେ। କିନ୍ତୁ ହୋମଗାର୍ଡ ପ୍ରକାଶ ମୁଦୁଲି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଓଲଟି ସେ ସ୍ଥାନୀୟ ଲୋକଙ୍କୁ ହାତଯୋଡ଼ି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଥିଲେ