ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ଏତଲା । ବୋହୂ ରୋନାଲି ଆଣିଛନ୍ତି ଯୌତୁକ ନିର୍ଯାତନା ଅଭିଯୋଗ । ପୂର୍ବତନ ମନ୍ତ୍ରୀ ତଥା ଏବେର କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା, ତାଙ୍କ ପୁଅ ସତ୍ୟପ୍ରକାଶ ବେହେରା ଓ ତାଙ୍କ ପରିବାର ନାଁରେ ବୋହୂ ଆଣିଛନ୍ତି ଏପରି ସାଙ୍ଘାତିକ ଅଭିଯୋଗ । ବୋହୂ ରୋନାଲି ବେହେରା ପୁରା ପରିବାର ନାଁରେ ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ, ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଏତଲା ଦେଇଛନ୍ତି ଶଶିଭୂଷଣଙ୍କ ବୋହୂ । ବାହାଘର ପରେ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଶଶିଭୂଷଣଙ୍କ ପୁଅ ୪୦ ଲକ୍ଷ ମାଗି ମାରପିଟ କରୁଥିବା ଅଭିଯୋଗ କରିଛନ୍ତି । ୪୦ ଲକ୍ଷ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲାରେ କୁହାଯାଇଛି ।
ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଅଛି ଓ ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ରୋନାଲି । ଏନେଇ ଶ୍ବଶୁର ଶଶିଭୂଷଣଙ୍କୁ କହିବାରୁ ସେ ଗାଳିଗୁଲଜ କରିଥିବା କୁହାଯାଉଛି । ବୋହୂଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ବାଙ୍କୀ ଥାନା ପୋଲିସ । ଶଶିଭୂଷଣ, ପୁଅ ସତ୍ୟପ୍ରକାଶ, ପତ୍ନୀ ସୁପ୍ରଭାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଦଫା ୪୯୮(କ), ୨୯୪, ୫୦୬, ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି । ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ମଧ୍ୟ ମାମଲା ରୁଜୁ ହୋଇଛି । ବୋହୂଙ୍କ ଅଭିଯୋଗ ନେଇ ଶଶିଭୂଷଣଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।