ଫ୍ଲାଟରୁ ମିଳିଲା ମହିଳା ସବ୍‌-ଇନ୍ସପେକ୍ଟରଙ୍କ ଗଳିତ ମୃତଦେହ

ମହାରାଷ୍ଟ୍ର ପୋଲିସର ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ ଗଳିତ ମୃତଦେହ ମୁମ୍ବାଇର ଏକ ଫ୍ଲାଟରୁ ମିଳିଛି। ମୃତ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଶୀତଲ୍‌ ଏଡକେ ରୂପେ ଚିହ୍ନଟ କରାଯାଇଛି। ସେ ନେହେରୁ ନଗର ଥାନାରେ ହିଁ ମୁତୟନ ଥିଲେ, କିନ୍ତୁ ଗତ ଦେଢ଼ ବର୍ଷ ଧରି ଦେଢ଼ ବର୍ଷ ହେବ ଛୁଟିରେ ରହିଥିଲେ। ବର୍ଷେରୁ ଅଧିକ ସମୟ ଛୁଟିରେ ରହିବା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଥିଲା।

ତେବେ ତାଙ୍କର ଏପରି ମୃତ୍ୟୁ ପଛର କାରଣ ଜଣାପଡ଼ିନି। ନେହରୁ ନଗରର ଏକ ଆପାର୍ଟମେଣ୍ଟର ପଞ୍ଚମ ତାଲାରେ ଏକ ଫ୍ଲାଟରେ ଏକୁଟିଆ ରହୁଥିଲେ ଶୀତଲ। ତାଙ୍କ ଫ୍ଲାଟର କବାଟ କିଛି ଦିନ ହେବ ବନ୍ଦ ରହିଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶି ଶୀତଲଙ୍କ ମୃତଦେହ  ରୋଷେଇ ଘର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲା। ବର୍ତ୍ତମାନ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ବର୍ତ୍ତମାନ ଏଡିଆର ଅଧୀନରେ ମାମଲା ରୁଜୁ ହୋଇଛି।