ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬୮୧ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ ହୋଇଛନ୍ତି। ଏଥିରେ ୫୫୫ଟି ହସ୍ପିଟାଲ ଓଡ଼ିଶାରେ ଓ ରାଜ୍ୟ ବାହାରର ୧୨୬ଟି ହସ୍ପିଟାଲ ରହିଛନ୍ତି। ଦେଶର ୧୫ଟି ରାଜ୍ୟ ସମେତ ଶ୍ରୀ ଶଙ୍କର କ୍ୟାନସର୍ ପ୍ରତିଷ୍ଠାନ, ଟାଟା ମେଡିକାଲ ସେଣ୍ଟର୍, ଟାଟା ମେମୋରିଆଲ୍ ହସ୍ପିଟାଲ ଗ୍ରୁପ୍, ଫୋର୍ଟିସ୍ ହେଲଥ୍ କେୟାର ଗ୍ରୁପ୍, ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜ ଓ ନାରାୟଣ ହୃଦୟାଳୟ ପରି ବିଶ୍ୱସ୍ତରୀୟ ହସ୍ପିଟାଲମାନେ ମଧ୍ୟ ବିଏସ୍କେୱାଇରେ ସାମିଲ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶା ବାଦ୍ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିଲନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ଏକାଧିକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସାମିଲ କରାଯାଇଛି।
ରୋଗୀମାନଙ୍କୁ ସହାୟତା ପାଇଁ ତାଲିକାଭୁକ୍ତ ହସ୍ପିଟାଲ ସ୍ତରରେ ୬୬୮ ଛାମୁଆ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୧୪ ଜଣ ସ୍ୱାସ୍ଥ୍ୟ ମିତ୍ର ଓ ୬୫ ଜଣ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟରତ। ଏହାବାଦ୍ ହସ୍ପିଟାଲରେ ନିରବଚ୍ଛିନ୍ନ ରୋଗୀ ସେବା ପାଇଁ ୧୧୬ ଜଣ ଅଭିଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ସମୁଦାୟ ବ୍ୟବସ୍ଥାକୁ ଏକ ଅତ୍ୟାଧୁନିକ ଅନଲାଇନ ୱେବ୍ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ସମୟ (ରିୟଲ୍ ଟାଇମ୍) ଭିତ୍ତିରେ ତଦାରଖ ଓ ପରିଚାଳନା କରାଯାଉଛି। ତାଲିକାଭୁକ୍ତ ହସ୍ପିଟାଲମାନଙ୍କର ସୂଚନା www.bsky.gov.in ରେ ମିଳିପାରିବ। ବାହାର ରାଜ୍ୟରେ ରହୁଥିବା ବିଏସ୍କେୱାଇ କାର୍ଡଧାରୀ ଏହି ୱେବସାଇଟ୍ରେ ତାଲିକାଭୁକ୍ତ ହସ୍ପିଟାଲର ନାମ ଦେଖିବା ସହ ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦିଆଯାଇଛି।
ବିଏସ୍କେୱାଇର ଅଗ୍ରଗତି ସଂପର୍କରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା.ବୃନ୍ଦା ଡି. ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଦାୟିତ୍ବ ଦିଆଯାଇଥିବା କର୍ମଚାରୀଙ୍କୁ ହସ୍ପିଟାଲର ବିଭିନ୍ନ ବିଭାଗ, ନିଦାନ କେନ୍ଦ୍ର, ୱାର୍ଡ, ଆଇସିୟୁ, ରୋଗୀ ଓ ସହାୟକମାନଙ୍କ ପାଇଁ ଥିବା ସୁବିଧା କେନ୍ଦ୍ର, ଆନୁସଙ୍ଗିକ ସେବା ସୁବିଧା ଆଦି ବିଷୟରେ ସଂପୂର୍ଣ୍ଣ ଅବଗତ ରହିବାକୁ ହେବ। ଲୋକମାନଙ୍କୁ ନିର୍ଭରଯୋଗ୍ୟ ସୂଚନା ଦେବା ସହ ବିଏସ୍କେୱାଇ କାର୍ଡଧାରୀ ରୋଗୀମାନଙ୍କର ପଞ୍ଜୀକରଣ, ଆଡମିସନ, ନିଦାନ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ଆଦି କାମରେ ସିଧାସଳଖ ସହଯୋଗ କରିବା ପାଇଁ ନିର୍ଦେଶ ଦିଆଯାଇଛି। ବିଶେଷକରି ଗ୍ରାମାଞ୍ଚଳରୁ ଆସିଥିବା ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ଓ ନିଃସହାୟ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ କୁହାଯାଇଛି। ନୋଡାଲ ଅଧିକାରୀମାନେ ନିୟମିତଭାବେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କ ସହ ହ୍ୱାଟସଆପ୍ ଗ୍ରୁପ୍ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଂଯୋଜିତ ରହି ବିଏସ୍କେୱାଇର ପ୍ରକ୍ରିୟାଗତ ବୈଷୟିକ ବିଷୟର ଆଶୁ ସମାଧାନ ପାଇଁ ପରାମର୍ଶ ଦିଆଯାଇଛି।