ପାରାଦ୍ୱୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିଛି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍ ପରେ ଡାକ୍ତରଙ୍କୁ ଗିରଫ କରିଛି ସିବିଆଇ। ଗିରଫ ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ପାରାଦ୍ୱୀପରୁ ଭୁବନେଶ୍ୱର ଅଣାଯାଇଛି । ସୂଚନାନୁଯାୟୀ, ଗତକାଲି ପାରାଦ୍ୱୀପ ବନ୍ଦର ପ୍ରଶାସନ ଅଧୀନରେ ଥିବା ପାରାଦ୍ୱୀପ ସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟାଳୟରେ ସିବିଆଇ ଚଢ଼ଉ କରିଥିଲା । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଥିଲେ ପାରାଦ୍ୱୀପ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ଏଯାଏଁ ମିଳିଲାଣି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି। ଘର ଓ ଅଫିସ ସମେତ ୪ଟି ସ୍ଥାନରେ ରେଡ କରାଯାଉଛି। ଚଢ଼ାଉ ବେଳେ ଡାକ୍ତରଙ୍କ ଘରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା ସହ ଦାମୀ ମଦ ଓ ସିଗାରେଟ୍। ଏକା ସାଙ୍ଗରେ ପାରାଦ୍ୱୀପର ତିନୋଟି ସ୍ଥାନ ଜେବିରେ ଥିବା ଘର,ହାଉସିଂବୋର୍ଡରେ ଥିବା ଘର ସମେତ ଭୂୟାଁ ଛକରେ ଥିବା ଅଫିସ ଘରେ ଚଢ଼ାଉ କରାଯାଇଥିଲା।
ପାରାଦ୍ୱୀପ ଭୂୟାଁ ଛକରେ ଥିବା ପିଏଚ୍ଓ କାର୍ଯ୍ୟାଳୟରେ ଏମିନେନ୍ସ ସିଫିଠାରୁ ଟଙ୍କା ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ସେଠାରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲେ। କୋଭିଡ କଟକଣା ପରଠାରୁ ସମୁଦ୍ରରେ ପାରାଦ୍ୱୀପ ବନ୍ଦରକୁ ଆସୁଥିବା ଜାହାଜ କ୍ରିଉ ମେମ୍ବରଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏଣୁ ଏହି ଦାୟିତ୍ବରେ ଥିବା ଡାକ୍ତର ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟଙ୍କ ଠାରୁ ଜୁଲମ୍ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗତକାଲି ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇର ଅଧିକାରୀମାନେ ତାଙ୍କୁ ଟଙ୍କା ସହ ଧରିଥିଲେ । ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ତାଙ୍କୁ ଭୁବନେଶ୍ବର ସିବିଆଇ ଅଫିସକୁ ଅଣାଯାଇଛି। ଏଥିସହ ତାଙ୍କର ବନ୍ଦର ସରକାରୀ ବାସଭବନ ଓ ତାଙ୍କ ବାଲେଶ୍ବର ସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ଉ କରାଯାଇଛି।