• ଝାରସୁଗୁଡାରେ ହାର୍, କର୍ଣ୍ଣାଟକରେ ବିଜୟ, ଓଡ଼ିଶାରେ କେବେ … ?
ବ୍ରହ୍ମପୁର, ୧୩/୫ (ଅଭିଜିତ କର): ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ବାପୁଜୀ ଆଶ୍ରମ ଜିଲ୍ଲା କାର୍ଯ୍ୟାଳୟ ଠାରେ କର୍ଣ୍ଣାଟକ ରାଜ୍ୟରେ କଂଗ୍ରେସର ବିପୁଳ ବିଜୟ ପରିପ୍ରେକ୍ଷୀରେ ଆଜି ବିଜୟ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ ତରଫରୁ ମିଠା ଓ ବାଣ ଫୁଟାଇ କର୍ଣ୍ଣାଟକର ଜନମତକୁ ସ୍ୱାଗତ କରାଯାଇଥିଲା । ସାମ୍ପ୍ରଦାୟିକତା ବାଦୀ ଓ ବିଭେଦକାରୀ ଶକ୍ତି ବିପକ୍ଷରେ ଏହି ଜନମତ, ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରାର ପ୍ରଭାବ ଓ ଶାନ୍ତିକାମୀ କର୍ଣ୍ଣାଟକ ବାସୀଙ୍କ ଘୃଣା ସୃଷ୍ଟିକାରୀ ବିଜେପି ଓ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ କର୍ମୀମାନେ ଏହି ଖୁସି ବ୍ୟକ୍ତ କରିଛନ୍ତି ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ପିସିସି ମୁଖପାତ୍ର ପୀତବାସ ପଣ୍ଡା ମତ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ପୀତବାସ ପଣ୍ଡାଙ୍କ ସମେତ ମୁନା ରେଡି, ମହେଶ୍ୱର ପାତ୍ର, ଭୀମରାଜୁ ରେଡି, ଶଙ୍କର ଅଧିକାରୀ, ଡବ୍ଲୁ ବାଳକ୍ରୀଷ୍ଣା, ଦେବେନ୍ଦ୍ର ଚର୍ଚି, ନଗର କଂଗ୍ରେସ ସଭାନେତ୍ରୀ ଶୁଭାସିନୀ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, ବୃନ୍ଦାବନ ଖଟେଇ, ଦଣ୍ଡପାଣି ପାତ୍ର, ଜିଲ୍ଲା ଯୁବ ସଭାପତି ସନାତନ ସାହୁ, ରିତା ଦଳେଇ, ଗୀତାଞ୍ଜଳି ସାହୁ, ରଶ୍ମିତା ସାହୁ, ରିନା ନାୟକ, ବବିତା ନାୟକ, ଜ୍ୟୋତି ରେଡି, ରଞ୍ଜିତା ମୁନି, ବୈଜନ୍ତି ମାଳା ସାହୁ, ଶର୍ମିଳା ଚର୍ଚି, ବିଶ୍ୱନାଥ ରଣା, ରଞ୍ଜିତ ଚର୍ଚି, ରାଜୁ ରେଡ଼ି ପ୍ରମୁଖଙ୍କ ସମେତ ବହୁ ଯୁବ ଓ ଛାତ୍ର ନେତା ମାନେ ସାମିଲ ହୋଇଥିଲେ ।
ତେବେ ଏହି ପରିପ୍ରେକ୍ଷୀରେ ଏକ ପ୍ରଶ୍ନ ସୃଷ୍ଟି କରିଛି ଯେ, ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନରେ ନଥିବା ବେଳେ, କେବଳ କିଛି ହାତ ଗଣତି ବିଧାୟକ ସିଟ୍ ହାସଲ କରିଛନ୍ତି। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ରହିଥିବା ବେଳେ, ଜିଲ୍ଲା କଂଗ୍ରେସର ଜିଲ୍ଲା ସଭାପତି ଦାୟିତ୍ୱରେ ଅଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାର ମୁଖ୍ୟ କୁହାଯାଉଥିବା ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ କିନ୍ତୁ କୌଣସି ପ୍ରାର୍ଥୀ ସିଟ୍ ହାସଲ କରି ପାରି ନାହାଁନ୍ତି। ତେବେ ରାଜ୍ୟର ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନରେ ପରାଜୟ ହୋଇଥିବା ବେଳେ, ପଡୋଶୀ ରାଜ୍ୟ କର୍ଣ୍ଣାଟକରେ କଂଗ୍ରେସର ବିଜୟରେ ଗଞ୍ଜାମ ଜିଲ୍ଲା ନେତା ମାନେ ଉତ୍ସବ ପାଳନ କରିଛନ୍ତି। ତେବେ ଦୁଇଟି ନିର୍ବାଚନରେ ଗଞ୍ଜାମ ଜିଲ୍ଲାରୁ କିଛି ନେତା ମାନେ ଦୁଇଟି ଯାକ ନିର୍ବାଚନ ପାଇଁ ପ୍ରଚାରକୁ ଯାଇଥିବା ବେଳେ, କର୍ଣ୍ଣାଟକ ରାଜ୍ୟ ଅପେକ୍ଷା ନିଜ ରାଜ୍ୟର ଝାରସୁଗୁଡ଼ା ଜିଲ୍ଲାରେ ଖୁବ୍ କମ୍ ଭିତରେ ପରାଜୟ ହୋଇଛନ୍ତି ।
ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ନିଜ ଅଧିକାର ବଜାଇ ରଖିବାରେ ସକ୍ଷମ ରହିବ କିଁ ନାହିଁ। ଏହି ଅବସରରେ ଜିଲ୍ଲା ତଥା ରାଜ୍ୟରେ ବୁଦ୍ଧିଜୀବୀ ମହଲରେ ଏକ ଆଶାର ସଂଚାର ହୋଇଛି ଯେ, ଦୀର୍ଘ ବର୍ଷ ଧରି କ୍ଷମତାରେ ନଥିବା ଦଳ କଂଗ୍ରେସ ଆଜି ଝାରସୁଗୁଡ଼ା ଜିଲ୍ଲାରେ ପରାଜୟ ହୋଇଥିବା ବେଳେ, କର୍ଣ୍ଣାଟକରେ ବିଜୟ ହାସଲ କରି ସରକାର ଗଢିଛି । ତେବେ ରାଜ୍ୟ କଂଗ୍ରେସର କିଛି ଦଳୀୟ ତ୍ରୁଟି ରହୁଥିବା ବେଳେ, ବାରମ୍ବାର ପରାଜୟ ହେଉଛି, ଯଦି ଓଡ଼ିଶାରେ ରାଜ୍ୟ କଂଗ୍ରେସ ମିଳିତ ଭାବେ ଏକତା ହୋଇ ନିର୍ବାଚନ ଲଢିବ ତେବେ ଓଡ଼ିଶା ରାଜ୍ୟରେ ସରକାର ଗଠନ କରିପାରିବ ବୋଲି ବରିଷ୍ଠ ନେତା ପୀତବାସ ପଣ୍ଡା କହିଛନ୍ତି ।