ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉପାନ୍ତରେ ଯାତାୟତ ପାଇଁ ଆଉ ହେବନି ଅସୁବିଧା । ଦୂର ହେବ ଗମନାଗମନ ସମସ୍ୟା । ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଯୋଡ଼ିବ ଲକ୍ଷ୍ମୀ ବସ୍ ସେବା । ଏ ନେଇ ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଡିୟମରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ପରେ ନିଜେ ବସରେ ବସି ଏମଭି-3 ଯାଇଥିଲେ ମୁଖ୍ୟମନ୍ତ୍ରୀ । ଏମଭି-3ରେ ବସଷ୍ଟପର ଶୁଭାରମ୍ଭ କରିଛନ୍ତି ନବୀନ । ଏହି ଅବସରରେ ଆଦିବାସୀଙ୍କ ସହ ଭାବବିନିମୟ କରିଥିଲେ । ସିଏମଓଙ୍କ ଗସ୍ତବେଳେ ଗମନାଗମନ ଅସୁବିଧା ଜାଣିବା ପରେ ଏହିଠାରୁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହା ପରେ ଆଜି ମାଲକାନଗିରିରେ ପତାକା ଦେଖାଇ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଲକ୍ଷ୍ମୀ ଯୋଜନା ମାଲକାନଗିରି ଅର୍ଥନୀତିକୁ ସମୃଦ୍ଧ କରିବ । ଜିଲ୍ଲାରେ 36 ଟି ବସ ସେବା ଯୋଗାଇବ । ଜିଲ୍ଲାର 111 ଟି ପଞ୍ଚାୟତକୁ ବସ ସୁବିଧା ମିଳିବ । ଅର୍ଥନୀତି ସୁଦୃଢ ହେବ, ଗାଁ ଗାଁରେ ସମୃଦ୍ଧି ଆଣିବ । ଘରେ ଘରେ ଖୁସି ଆଣିବ । ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ମାଇଲଖୁଣ୍ଟ । ଲକ୍ଷ୍ମୀ ଯୋଜନା ଦ୍ବାରା ମାଲକାନଗିରି ବିକାଶ ଆହୁରି ଉଜ୍ଜ୍ୱଳ ହେବ । ପଞ୍ଚାୟତରୁ ଜିଲ୍ଲାକୁ ଏହି ଯୋଜନା ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରବର୍ତ୍ତୀ ସମୟରେ ପୂରା ଓଡ଼ିଶାରେ ବସ୍ ଚଳାଚଳ କରିବ ।

ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଚାଲିଛି ଲକ୍ଷ୍ମୀ ବସ । ଏହି ଲକ୍ଷ୍ମୀ ଯୋଜନା ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷକରି ଗ୍ରାମାଞ୍ଚଳ ଲୋକେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରାଯାଇଛି । ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା । ଯୋଜନା ଅଧିନରେ ସାରା ରାଜ୍ୟରେ ହଜାରେରୁ ଅଧିକ ବସ ଚଳାଚଳ କରିବ । ଏହି ଅବସରରେ ଜିଲ୍ଲାରେ 192 କୋଟି ବ୍ୟୟରେ 18 ଟି ଲୋକାଭିମୁଖି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ଏଥିସହ 601 କୋଟିରୁ ଅଧିକ ବ୍ୟୟର 96 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।