ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହୋଇଛି ବିମାନ ସେବା । ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ଭୁବନେଶ୍ୱର-ଦୁବାଇ ବିମାନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପତାକା ଦେଖାଇ ବିମାନ ଉଡ଼ାଣ ସେବାର ଶୁଭାରମ୍ଭ କରିଛନ୍ତି । ୬.୩୦ ପରିବର୍ତ୍ତେ ୬.୪୦ରେ ବିମାନ ଉଡାଣ ଆରମ୍ଭ କରିଥିଲା | ଦୁବାଇରୁ ୧୧.୨୫ରେ ଇଣ୍ଡିଗୋର ବିମାନ ୧୭୩ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ଏହି ବିମାନ ଭୁବନେଶ୍ବରରେ ୫.୩୦ ରେ ପହଞ୍ଚିଥିଲା । ଏହାପରେ ବିମାନଟିକୁ ୱାଟର କ୍ୟାନନ ମାଧ୍ୟମରେ ସ୍ୱାଗତ କରାଯାଇଥିଲା ।
ଭୁବନେଶ୍ୱରରୁ ଦୁବାଇକୁ ପ୍ରଥମ ଦିନର ଫ୍ଲାଇଟରେ ଯାତ୍ରୀଙ୍କ ସହ ମିଶନ ଶକ୍ତି ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ ଯାତ୍ରା କରିଛନ୍ତି । ଏୟାରକ୍ରାଫ୍ଟ କ୍ରିୟୁଙ୍କ ସମେତ ମୋଟ ୧୭୦ ଜଣ ଯାତ୍ରୀ ଭୁବନେଶ୍ବରରୁ ଦୁବାଇ ଯାଇଛନ୍ତି। ଯାତ୍ରୀଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ଯ୍ୟଟନ କିଟ୍ ବ୍ୟାଗ୍, ଫୁଲ ଗୁଚ୍ଛ ସହ ମିଠା ଦିଆଯାଇଥିଲା । ତେବେ ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ ।
ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ଆନ୍ତର୍ଜାତିକ ସଂଯୋଗୀ କରଣ ଆବଶ୍ୟକ। ୟୁରୋପ ଓ ଆମେରିକା ବଜାର ପାଇଁ ଦୁବାଇ ହେଉଛି ମଧ୍ୟପ୍ରାଚ୍ୟର ଗେଟ୍ ୱେ । ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ନିଜ ଉଦ୍ୟମରେ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିଛନ୍ତି। ଦୁବାଇକୁ ବିମାନ ସେବା ଆରମ୍ଭ ହେବା ଫଳରେ ଓଡ଼ିଶା ପାଇଁ ଉପସାଗରୀୟ ରାଷ୍ଟ୍ର, ୟୁରୋପ ଓ ପଶ୍ଚିମ ଦେଶର ଦ୍ୱାର ଉନ୍ମୁକ୍ତ ହେବ । ଆମର ଯୁବକ ଯୁବତୀ, ବ୍ୟବସାୟୀ, ପର୍ଯ୍ୟଟନ, ଶିଳ୍ପ, ଆଇଟି ଆଦି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ବିମାନର ପ୍ରଥମ ଯାତ୍ରୀ ହୋଇଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନଯାତ୍ରା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଐତିହାସିକ ପଦକ୍ଷେପ। ପ୍ରଥମ ବିମାନ ଉଡ଼ାଣର ମୁଁ ପ୍ରଥମ ଯାତ୍ରୀ। ପ୍ରଥମ ଯାତ୍ରୀ ହେବା ପାଇଁ ଟିକେଟ କଲି ଏବଂ ଯାତ୍ରା କଲାବେଳେ- ମୁଁ ଗର୍ବ ଅନୁଭବ କରୁଛି ବୋଲି ଲେଖିଛନ୍ତି ।
ସେହିପରି ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ବିମାନ ଉଡିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା । ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି ।