ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ଗିରଫ

ଏକ ପୁରୁଣା ଡ୍ରଗ୍‌-ସଂକ୍ରାନ୍ତ ମାମଲାରେ କଂଗ୍ରେସ ବିଧାୟକ ସୁଖପାଲ୍ ସିଂହ ଖୈରାଙ୍କୁ ପଞ୍ଜାବ ପୋଲିସ ଚଣ୍ଡୀଗଡ଼ସ୍ଥିତ ବାସଭବନରେ ଚଢ଼ଉ କରି ଗିରଫ କରିଛି। ‘ନାର୍କୋଟିକ୍‌ ଡ୍ରଗ୍‌ ଆଣ୍ଡ୍‌ ସାଇକୋ‌ଟ୍ରପିକ୍‌ ସବ୍‌ଷ୍ଟାନ୍‌ସ୍‌’ ଆଇନ ଅନୁଯାୟୀ ତାଙ୍କ ନାମରେ ଏହି ପୁରାତନ ମାମଲାଟି ରୁଜୁ କରାଯାଇଥିଲା। ପ୍ରତ୍ୟୁଷରେ ଜଲାଲାବାଦ ଥାନାର ପୋଲିସ କର୍ମଚାରୀମାନେ ସେକ୍ଟର୍‌ ୫ରେ ଥିବା ଖୈରାଙ୍କ ବାସଭବନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଖୈରା ‘ଫେସ୍‌ବୁକ୍’ରେ ଅନ୍‌ଲାଇନ୍‌ ରହିଥିଲେ।

ସେଥିରେ ସେ ପୋଲିସ ଅଧିକାରୀଙ୍କ ସହିତ ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା। ତାଙ୍କ ପରିବାରର କେହି ଜଣେ ସଦସ୍ୟ କରିଥିବା ‘ଲାଇଭ୍‌ ଭିଡିଓ’ରେ ଦେଖାଯାଉଛି, ଖୈର୍‌ ପୋଲିସକୁ ଗିରଫ ପର୍‌ୱାନା ଓ ତାଙ୍କୁ ଗିରଫ କରାଯିବାର କାରଣ ପଚାରୁଛନ୍ତି। ଜଲାଲାବାଦ୍‌ ‘ଡିଏସ୍‌ପି’ ଅଚ୍ଚରୁ ରାମ ଶର୍ମା ବୋଲି ପରିଚୟ ଦେଉଥିବା ଜଣେ ପୋଲିସ ଅଧିକାରୀ ଖୈରାଙ୍କୁ କହୁଛନ୍ତି ଯେ, ଗୋଟାଏ ପୁରୁଣା ‘ଏନ୍‌ଡିପିଏସ୍‌’ ମାମଲାରେ ତାଙ୍କୁ ଗିରଫ କରାଯାଉଛି। କିନ୍ତୁ, ଉକ୍ତ ମାମଲାକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇ ଥିବା କଥା କହି ଖୈର୍‌ ଗିରଫଦାରିକୁ ବିରୋଧକରୁଛନ୍ତି। ଯୁକ୍ତିତର୍କ କରି ସେ ଆହୁରି ମଧ୍ୟ କହୁଛନ୍ତି କି, ଏଥିରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ଅଛି। ପରିବାର ଲୋକଙ୍କ ପ୍ରତିରୋଧ ସତ୍ତ୍ବେ ସାଦା ପୋଲିସ କର୍ମଚାରୀମାନେ ଖୈରାଙ୍କୁ ହାଜତକୁ ନେଇଯାଇଛନ୍ତି। ସୂଚନାଯୋଗ୍ୟ, ଖୈରା ହେଉଛନ୍ତି ଭୋଲାଥ୍ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ‘ଅଲ୍‌ ଇଣ୍ଡିଆ କିଷାନ୍‌ କଂଗ୍ରେସ’ର ଅଧ୍ୟକ୍ଷ।