ଧରାକୋଟ ବିଜେଡି ଯୁବ ନେତାଙ୍କୁ ହତ୍ୟା ଘଟଣାରେ ଦୁଇ ଗିରଫ

ଆସିକା/ଧରାକୋଟ- ୩୦.୦୯: ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବରିଗୁଡ଼ା ଗ୍ରାମର ଯୁବ ବିଜେଡି ନେତାଙ୍କୁ ଶୁକ୍ରବାର ଦିନ ଗ୍ରାମ ଉପକଣ୍ଠରେ ହତ୍ୟା କରା ଯାଇଥିଲା । ଏ ସଂକ୍ରାନ୍ତରେ ମୃତକ ଅନିଲଙ୍କ ସ୍ତ୍ରୀ ମିଲି ମହାନ୍ତିଙ୍କ ଅଭିଯୋଗ ପ୍ରକାରେ ଧରାକୋଟ ଥାନା ପକ୍ଷରୁ ୩୩୭/୨୦୨୩ ପ୍ରକାରେ ମାମଲା ରୁଜୁ କରାଯାଇଥିବା ସହ ତଦନ୍ତ ଜାରି ରହିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବରିଗୁଡ଼ା ଗ୍ରାମର ସଞ୍ଜୟ ପୋଲାଇଙ୍କୁ ଗତକାଲି ତାଙ୍କ ନିଜ ଘରୁ ପୋଲିସ ଗିରଫ କରିଥିବା ବେଳେ ସହଯୋଗୀ ଶ୍ରୀଧର ନାୟକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ନେଇ ତଦନ୍ତ ଜାରି ରହିବା ସହିତ ପୋଲିସ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି l ପୂର୍ବ ଶତ୍ରୁତା ଏବଂ ରାଜନୈତିକ ତିକ୍ତତା ଯୋଗୁଁ ଏହି ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ପ୍ରକାଶ ଥାଉକି ଗତ କରୋନା ମହାମାରୀ ସମୟରେ ଗ୍ରାମ କୋଠରୁ ମୃତ ଅନିଲ (କୋକ) ଦୁଇ ଲକ୍ଷ ଟଙ୍କା କରଜ ନେଇଥିଲେ କିନ୍ତୁ ଗ୍ରାମ କୋଠକୁ ସେହି କରଜ ଟଙ୍କା ଫେରାଇ ନଥିଲେ । ଏ ଟଙ୍କାକୁ ନେଇ ଗ୍ରାମ ବୈଠକରେ ଅନିଲ ଓ ଅଭିଯୁକ୍ତ ସଞ୍ଜୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ସଞ୍ଜୟ ଜୀବିକା ପାଇଁ ସୁରତ ଚାଲିଯାଇ ଥିଲେ । ଏ ତିକ୍ତ ଘଟଣାକୁ ନେଇ ନିଜର ଅପମାନ ପାଇଁ ସୁରତରେ ଭଡ଼ା ଟିଆ ଗୁଣ୍ଡା ଲଗାଇ ସଞ୍ଜୟଙ୍କ ଉପରେ ଅନିଲ ମରଣାନ୍ତକ ଆକ୍ରମଣ କରିଥିଲେ । ସଞ୍ଜୟ ମାଡ଼ ଖାଇଲା ପରେ ସୁରତରୁ ଦୀର୍ଘଦିନ ହେଲା ଫେରିଆସି ଅନିଲ ଉପରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ । ଏ ପରିକି ଗଣେଶ ପୂଜା କିମ୍ବା ଭସାଣି ଦିନ ଅନିଲକୁ ରାସ୍ତାରୁ ସଫା କରିବା ପାଇଁ ସୁଯୋଗ ଖୋଜୁଥିଲେ। ଶୁକ୍ରବାର ଦିନ ଗ୍ରାମରୁ ଉଖୁଡା ପଟ୍ଟା ଯିବା ରାସ୍ତାରେ ଏକୁଟିଆ ପାଇ ପ୍ରତିଶୋଧ ନେଇଥିଲେ । ଏହି ହତ୍ୟା କାଣ୍ଡରେ ଏକାଧିକ ବ୍ୟକ୍ତି ସଂପୃକ୍ତି ଥିବା ନେଇ ତଦନ୍ତରୁ ଜଣା ପଡ଼ିଛି। ଏହା ସହ ରାଜନୈତିକ ତିକ୍ତତା ରହିଥିବା କଥା ସନ୍ଦେହ କରାଯାଉଛି । ଯେହେତୁ ଅନିଲ ସରଧା ପୁର ଗ୍ରାମ ପଞ୍ଚାୟତର ଆଗ ଧାଡ଼ିର ବିଜେଡି ନେତା ଥିଲେ । ତାଙ୍କ ସହିତ ମଧ୍ୟ ଅନ୍ୟ ମାନଙ୍କ ରାଜନୈତିକ ଶତ୍ରୁତା ଥିଲା । ଏହି ହତ୍ୟାକାଣ୍ଡ ସଂକ୍ରାନ୍ତରେ ଆଗକୁ ତଦନ୍ତ ଜାରି ରହିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି  ।