ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ନିୟମର ଉଲଙ୍ଘନ କରିଥିବା ଅଭିଯୋଗରେ ରବିନ୍ଦ୍ରନଙ୍କ ବାୟଜୁ ଓ ତାଙ୍କ କମ୍ପାନୀ ‘ଥିଙ୍କ୍ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ’, ବେଙ୍ଗାଲୁରୁର ୨ଟି ବ୍ୟବସାୟୀକ ପ୍ରତିଷ୍ଠାନ ଓ ଗୋଟିଏ ବାସଭବନ ଉପରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢ଼ାଉ ବେଳେ ଜବତ ହୋଇଛି ଅନେକ ଗୁଡ଼ିଏ ସନ୍ଦେହଜନକ କାଗଜପତ୍ର ଓ ତଥ୍ୟ ।ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ, ୨୦୧୧ରୁ ୨୦୨୩ ମଧ୍ୟରେ କମ୍ପାନୀରେ ନିବେଶ ହୋଇଛି ପ୍ରାୟ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି । ଏହି ସମୟ ମଧ୍ୟରେ କମ୍ପାନୀ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନାମରେ ବିଭିନ୍ନ ବିଦେଶୀ ସଂସ୍ଥାକୁ ପଠାଇଛି ପ୍ରାୟ ୯୭୫୪ କୋଟି ଟଙ୍କା । କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷ ଠାରୁ ନିଜର ଆର୍ଥିକ କାରବାରର ବିବରଣୀ ପ୍ରସ୍ତୁତ ଏବଂ ଖାତାର ଅଡିଟ୍ କରିନାହିଁ କମ୍ପାନୀ। ଅନେକ ଅଭିଯୋଗ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।