ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ୍

ଆପ୍ ସାଂସଦ ସଂଜୟ ସିଂଙ୍କ ଘରେ ଇଡିର  ଚଢ଼ାଉ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ କରିଥିବା ସୂଚନା ମିଳିଛି । ଆଜି ସକାଳୁ ସକାଳୁ ଇଡି ଟିମ୍‌ର ବହୁ ଅଧିକାରୀ ସଞ୍ଜୟ ଘରେ ପଶିଛନ୍ତି । କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଏହାପୂର୍ବରୁ ସଂଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କ ଠିକଣାରେ ମଧ୍ୟ ଇଡି ଚଢ଼ାଉ କରିଥିଲା । ଅବକାରୀ ଦୁର୍ନୀତି ମାମଲାର ଚାର୍ଜସିଟରେ ମଧ୍ୟ ସଂଜୟ ସିଂଙ୍କ ନାଁ ରହିଛି ।

ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚଳିତ ବର୍ଷ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପର ଅନେକ ନେତା ତଦନ୍ତକାରୀ ସଂସ୍ଥାର ରାଡାରରେ ଅଛନ୍ତି । ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅସୁସ୍ଥତା କାରଣରୁ ସୁପ୍ରିମକୋର୍ଟରୁ ସତ୍ୟେନ୍ଦ୍ର ଅନ୍ତରୀଣ ଜାମିନ ପାଇଛନ୍ତି ।