ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ୯ ମୃତ

ବାଣ ଗୋଦାମରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଦିନ କୁ ଦିନ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟୁଛି ଆଉ ଏହି ଅଗ୍ନିକାଣ୍ଡରେ ଲୋକଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସୋମବାର ତାମିଲନାଡ଼ୁର ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡ଼ୁର ଅରିୟାଲୁ ଜିଲ୍ଲାରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପ୍ରଭାବରେ  ୯ ଜଣଙ୍କର ମୃତ୍ୟୁ ହେବାସହିତ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଅଗ୍ନିକାଣ୍ଡ ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଚାରିଆଡ କଳାଧୂଆଁରେ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ବହୁତ ଚେଷ୍ଟା ଓ ପରିଶ୍ରମ ପରେ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣା ସମ୍ପର୍କରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚାରଉଚରା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି ।