ଲଣ୍ଡନରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, ୨୫୦ କୋଟି ଟଙ୍କା ଦାନ କଲେ ଓଡ଼ିଆ ଉଦ୍ୟୋଗପତି

ଇଂଲଣ୍ଡରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର। ଏଥିପାଇଁ ଜଣେ ଓଡ଼ିଆ ଉଦ୍ୟୋଗପତି ୨୫ ମିଲିୟନ ଅର୍ଥାତ ୨୫୦ କୋଟି ଟଙ୍କା ଦାନ କରିଛନ୍ତି । ଯାହାକୁ ଦେଶ ବାହାରେ ଏକ ମନ୍ଦିର ପାଇଁ ବଡ ଦାନ ବୋଲି କୁହାଯାଉଛି। ମନ୍ଦିର ପାଇଁ  ଅର୍ଥ ଦାନ କରିଥିବା ଓଡ଼ିଆ ଶିଳ୍ପୋଦ୍ୟୋଗୀ ଜଣକ ହେଉଛନ୍ତି ଫିନେଷ୍ଟ ଗ୍ରୁପ ଅଫ୍ କମ୍ପାନୀର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ପଟ୍ଟନାଏକ । ଏହାସହ ଫିନନେଷ୍ଟ ଏମଡି ଅରୁଣ କର ଦାନ କରିଛନ୍ତି। ଏହି ମନ୍ଦିର ନିମନ୍ତେ ଲଣ୍ଡନ ଉପକଣ୍ଠରେ ୧୫ ଏକର ଜାଗା ଚିହ୍ନଟ କରାଯାଇଛି।

ଏଥିପାଇଁ ପାଖାପାଖି ୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।  ସେଥିପାଇଁ ସ୍ଥାନୀୟ ପ୍ରାଶାସନ ପାଖରେ ଆବେଦନ କରାଯାଇଛି। ୨୦୨୪ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।  ଏଥିପାଇଁ ୬୦୦ରୁ ଅଧିକ ଜଗନ୍ନାଥ ଭକ୍ତ ପଞ୍ଜିକୃତ କରିଛନ୍ତି।  ହାଇସରେ ଥିବା ନବନାତ ସେଣ୍ଟରରେ ଗଜପତି ମହାରାଜା ସମ୍ବୋଧିତ କରି କହିଛନ୍ତି ଯେ, “ଶ୍ରୀଜଗନ୍ନାଥ କେବଳ ଦେଶରେ ସୀମିତ ନୁହେଁ ବିଶ୍ୱରେ ପ୍ରଚାର ପ୍ରସାର ହେବାରେ ଲାଗିଛି। ତିନି ବର୍ଷ ତଳେ ଅକ୍ଷୟ ତୃତୀୟାରେ ଶ୍ରୀ ଜଗନ୍ନାଥ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା”।