ଯୌତୁକ ବାବଦରେ ବାଇକ ମାଗି ହଟହଟା ହେଲା ବର । ବାହାଘର ଭାଙ୍ଗି ସିଧା ଥାନାର ଦ୍ୱାରସ୍ଥ ହୋଇଛନ୍ତି କନ୍ୟା ପିତା।ଏହାସହ ବିବାହ ବାବଦରେ ଖର୍ଚ୍ଚ ହୋଇଥିବା ପାଞ୍ଚ ଲକ୍ଷ ଟଙ୍କା ବର ପକ୍ଷ ଭରଣା କରନ୍ତୁ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଉ ବିବାହ ପରେ ବରକୁ ଉଠାଇ ଆଣି ଥାନାରେ ଅଟକ ରଖିଲା ପୋଲିସ। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ସୂଚନା ଅନୁଯାୟୀ, ଶ୍ରୀରାମ ନଗର ପଡ଼ା ବାସିନ୍ଦା ସେକ୍ ଅସରବଙ୍କ ଚତୁର୍ଥ କନ୍ୟାଙ୍କ ବାହାଘର ଏମଡ଼ି ସେହେଫାଜ କୁରେସିଙ୍କ ସହ ଠିକ୍ ହୋଇଥିଲା । ବରଯାତ୍ରୀ ଧରି କନ୍ୟା ଘରେ ପହଁଞ୍ଚଥିଲେ ବର ଏମଡ଼ି ସେହେଫାଜ କୁରେସି । ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ହେଲେ ବିବାହ ଭୋଜି ଖାଇନଥିଲେ ବରଯାତ୍ରୀ । ଭୋଜି ଖାଉନଥିବା ଦେଖି କନ୍ୟା ପିତା ଏହାର କାରଣ ପଚାରିଥିଲେ । ଏହି ସମୟରେ ଯୌତୁକ ବାବଦରେ ଏକ ବାଇକ ଡ଼ିମାଣ୍ତ କରିଥିଲେ ବର ପକ୍ଷ । ତେବେ ହଠାତ୍ ବର ପକ୍ଷରୁ ଏପରି ଡ଼ିମାଣ୍ତ ଶୁଣି କନ୍ୟାର ପିତା ସେକ୍ ଅସରବଙ୍କ ମୁଣ୍ତରେ ଚଡ଼କ ପଡ଼ିଥିଲା । ବାଇକ ଦେବାକୁ ସେ ସାମର୍ଥ୍ୟ ନୁହେଁ ବୋଲି ମନା କରିଦେଇଥିଲେ । ପରେ ଏନେଇ କନ୍ୟାର ପିତା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ପୋଲିସ ବର ସହ ବର ସମ୍ପର୍କୀୟଙ୍କୁ ଥାନାକୁ ଆଣି ଏନେଇ ପଚରାଉଚରା କରିଥିଲା । ଏହାପରେ ସେମାନଙ୍କୁ ଏକ ନୋଟିସ୍ ଛଡ଼ାଯାଇଥିବା ସୂଚନା ରହିଛି ।
ସେପଟେ ବର ପକ୍ଷରୁ ହଠାତ୍ ଏହି ଯୌତୁକ ଡ଼ିମାଣ୍ତ ଶୁଣି ବିବାହ ଭାଙ୍ଗି ଦେଇଛନ୍ତି କନ୍ୟାର ପିତା । ଏହାସହ ବିବାହ ଲାଗି ଖର୍ଚ୍ଚ ହୋଇଥିବା ୫ ଲକ୍ଷ ଟଙ୍କା ବର ପକ୍ଷ ଭରଣ କରନ୍ତୁ ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗକୁ ନେଇ ବର କହିଛନ୍ତି ଯେ, ଝିଅ ପାଇଁ ଆଣିଥିବା ନାକ ନଠୁଣି ଛୋଟ ହେବାରୁ ଏହାକୁ କେନ୍ଦ୍ର କରି ଝିଅର ଘର ଲୋକେ ଝଗଡ଼ା କରିଥିଲେ । ପରେ ଏନେଇ ମୁଁ ଖାଇବାକୁ ମନା କରିବା ସହ ବାଇକ ଡିମାଣ୍ତ କରିଥିଲେ । ନିଜକୁ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା ବୋଲି ସେ କହିଛନ୍ତି । ତେବେ ଉଭୟ ପକ୍ଷଙ୍କ ଅଭିଯୋଗ ପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।