ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ ପରେ ଓଡ଼ିଶାରେ ହାଇଆଲର୍ଟ । ଛତିଶଗଡ଼ ସୀମାକୁ ଲାଗିରହିଥିବା ୩ ଜିଲ୍ଲାକୁ ଆଲର୍ଟ କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ହାଇ ଆଲର୍ଟ ଜାରି କରାଯାଇଛି । ଏନେଇ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । କମିଂ ଅପରେସନ ଜୋରଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୀମା ଅଞ୍ଚଳରେ ଚେକିଂ, ବ୍ଲକିଂ, କରିବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ସୂଚନା ଦେଲେ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ତା । ଖବର ଏହା ମଧ୍ୟ ରହିଛି ଯେ, ବର୍ତ୍ତମାନ ନକ୍ସଲଙ୍କୁ ଚାରି ପଟରୁ ଖେରି ଅପରେସନ ଆରମ୍ଭ କରାଯାଇଛି । ଉଭୟ ପୋଲିସ ଓ ନକ୍ସଲଙ୍କ ମଧ୍ୟ ଗୁଳିବିନିମୟ ଜାରି ରହିଛି । ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ନକ୍ସଲ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ନକ୍ସଲଙ୍କୁ ନିପାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ଛଡା ଯିବ ନାହିଁ । ଏହାସହ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ଫୋନ ଯୋଗେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ଏବଂ କେନ୍ଦ୍ର ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ କରାଯିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଥାଉ ଯେ, ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସକୁ ନେଇ ଯାଉଥିବା ଏକ ଗାଡି ଉପରକୁ ନକ୍ସଲ ଆଇଇଡି ଆକ୍ରମଣ କରିଥିଲେ । ହଠାତ ଏହି ଆକ୍ରମଣ ହେବାରୁ ଗାଡ଼ିରେ ଥିବା ୧୦ ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ଆକ୍ରମଣ ଏତେ ଭୟାବହ ଥିଲା ଯେ ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଚାରିଆଡେ ବିଛାଇ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।