କାଲି ଭାରତ ପାକିସ୍ତାନ ଭିତରେ ହେବାକୁ ଯାଉଛି ହାଇଭୋଲଟେଜ ମ୍ୟାଚ । ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନ ମୁହାଁମୁହିଁ ହେବା ପାଇଁ ଯାଉଛନ୍ତି । ଅକ୍ଟୋବର 14 ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ଭାରତ ବନାମ ପାକିସ୍ତାନ ବିଶ୍ୱକପ 2023 ମ୍ୟାଚ୍ | ଏକ ବଡ ଇଭେଣ୍ଟ ସହ ଆରମ୍ଭ ହେବ | ଆଉ ଏହାକୁ ବିଶ୍ୱକପର ସବୁଠୁ ବଡ଼ ମ୍ୟାଚ ବୋଲି କୁହାଯାଉଛି । ଏପରିକି ଫାଇନାଲ ଠାରୁ ମଧ୍ୟ ଅଧିକ କ୍ରେଜ ଏ ମ୍ୟାଚ ପାଇଁ ରହିଛି। ପଡ଼ିଆରେ ତଥା ବାହାରେ ପ୍ରତିଦ୍ୱନ୍ଦ୍ୱୀ ଥିବା ଦୁଇ ଦେଶରେ କ୍ରିକେଟ୍ ଇତିହାସ ରହିଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷେ ୩୪ହଜାର ଦର୍ଶକଙ୍କ ସାମ୍ନାରେ କାଲି ଲଢ଼ିବେ ଦୁଇ ପଡ଼ୋଶୀ ଦେଶ। ଉଭୟ ଦଳ ବିଶ୍ୱକପରେ ଏକାଧିକ ଥର ଶ୍ରେଷ୍ଠ ପ୍ରଦର୍ଶନ କରିଥିବାବେଳେ ଏଯାଏଁ ହେଡ-ଟୁ-ହେଡ ରେକର୍ଡ ଉପରେ ଭାରତ ହିଁ ପ୍ରାଧାନ୍ୟ ବିସ୍ତାର କରିଛି।
ଦିନିକିଆ ବିଶ୍ୱକପରେ ୭ଥର ମୁହାଁମୁହିଁ ହୋଇ ସବୁଥର ବାଜି ମାରିନେଇଥିବା ଭାରତ, ଘରୋଇ ପରିବେଶରେ ପୁଣି ଥରେ ଫେଭରାଇଟ ହୋଇପାରିଛି । ବିଶ୍ୱକପରେ କିଛି ଖେଳାଳୀ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ହେଲେ ପୁରା ଅହମ୍ମଦାବାଦ କ୍ରିକେଟ ଜ୍ୱରରେ ଆକ୍ରାନ୍ତ । ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ମନରେ ଏତେ ଆଗ୍ରହ ଓ ଉକ୍ରଣ୍ଠା ବଢ଼ିଯାଇଛି ଯେ, ଶେଷରେ ବିସିସିଆଇ ଆଉ ୧୪ହଜାର ଟିକେଟ ବିକ୍ରି କରିଛି । ଅହମ୍ମଦାବାଦରେ ଖେଳାଳୀ, ଦର୍ଶକ, ଗଣମାଧ୍ୟମ ପ୍ରତିନିଧିଙ୍କ ଏତେ ଭିଡ଼ ଯେ ବିମାନ ଓ ହୋଟେଲ ଭଡ଼ା ପାଖାପାଖି ଦୁଇ ଗୁଣା ବଢ଼ିଯାଇଛି ତଥାପି ରହିବାକୁ ଜାଗା ନାହିଁ । ତେଣୁ ଶନିବାର ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ବିଶ୍ୱକପ 2023 ମ୍ୟାଚ୍ ସମୟରେ କିଛି ହାଇ ଭୋଲଟେଜ୍ ଆକ୍ସନ୍ ପ୍ରଦର୍ଶିତ ହେବ ବୋଲି ଆଶା କରାଯାଉଛି | ଏଥିଲାଗି ବିସିସିଆଇ ମଧ୍ୟ ସମାନ ଭାବରେ ପ୍ରସ୍ତୁତ ହେଉଛି |