ଆଜିଠାରୁ ଆରମ୍ଭ ହେବ ଆଇପିଏଲ୍‌ ମହାସମର

ଅହମ୍ମଦାବାଦ : ଆଜିଠାରୁ ଆରମ୍ଭ ହେବ  ଆଇପିଏଲ୍‌  ମହାସମର  । ମହାଯୁଦ୍ଧର ଏହି ମହା ପର୍ବରେ ସାମିଲ ହେବେ ଏନେକ ରଥି ମହାରଥୀ ଓ ସୈନ୍ୟ ସାମନ୍ତ। ତେବେ ଆଜି ୨୦୨୩ ଆଇପିଏଲ୍‌ ମହାସମରର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। । ବିଶ୍ୱର ଏହି ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଘରୋଇ ଗୁଜରାଟ ଟାଇଟାନ୍ସ ସହ ଟୁର୍ଣ୍ଣାମେଣ୍ଟ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର୍ କିଙ୍ଗ୍‌ସର ମୁକାବିଲା ହେବ । ଗତ ସଂସ୍କରଣରେ ପ୍ରଥମ ଥର ପାଇଁ ଭାଗ ନେଇଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଚାମ୍ପିଅନ୍ ହୋଇଥିଲା ।ଅନ୍ୟପକ୍ଷରେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ ପ୍ରଥମ ଥର ପାଇଁ ଖେଳାଳି ଭାବେ ଗତ ସଂସ୍କରଣର ପ୍ରାଥମିକ ପର୍ଯ୍ୟାୟରେ ଆଇପିଏଲ୍‌ରେ ଭାଗ ନେଇଥିଲେ ହେଁ ପରବର୍ତ୍ତୀ ସମୟରେ ପୁନର୍ବାର ଦଳର ନେତୃତ୍ୱ ନେଇଥିଲେ । କିନ୍ତୁ ଏହା ସତ୍ତ୍ୱେ ବି ଦଳ ଗତ ସଂସ୍କରଣରେ ନବମ ସ୍ଥାନରେ ରହିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା । କିନ୍ତୁ ସେ ସଫଳ ନ ହେବାରୁ ଟୁର୍ଣ୍ଣାମେଣ୍ଟ୍ ଅଧାରେ ଦଳର ନେତୃତ୍ୱ ବଦଳିଥିଲା ।

ଗତ ୩ଟି ସଂସ୍କରଣରେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ମ୍ୟାଚ୍‌ଗୁଡ଼ିକ ଖେଳାଯାଇଥିବା ବେଳେ ନିର୍ଦ୍ଦିଷ୍ଟ ଭେନ୍ୟୁରେ ମଧ୍ୟ ଲିଗ୍ ସୀମିତ ରହିଥିଲା । ଭାରତରେ କୋଭିଡ୍ ସଂକ୍ରମଣଜନିତ ସ୍ଥିତି ଜଟିଳ ଥିବାରୁ ଆଇପିଏଲ୍‌ର ଗତ ୨୦୨୦ ସଂସ୍କରଣରେ ସମସ୍ତ ମ୍ୟାଚ୍ ସହ ୨୦୨୧ ସଂସ୍କରଣରେ ଦ୍ୱିତୀୟାର୍ଦ୍ଧ ମ୍ୟାଚ୍‌ଗୁଡ଼ିକ ୟୁଏଇରେ ଖେଳାଯାଇଥିଲା । ସେହିପରି ଗତ ସିଜନ୍‌ରେ ମ୍ୟାଚ୍‌ଗୁଡ଼ିକ ଭାରତରେ ଖେଳାଯାଇଥିଲେ ହେଁ ଏହା ମୁମ୍ବାଇ ଓ ପୁଣେ ସହରରେ ସୀମିତ ଥିଲା । କିନ୍ତୁ ଗତ ସଂସ୍କରଣରେ ପୁଣିଥରେ ଲିଗ୍‌ରେ ୧୦ଟି ଲେଖାଏଁ ଦଳ ଭାଗ ନେଇଥିଲେ । କିନ୍ତୁ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ୍ ତା’ର ପାରମ୍ପରିକ ହୋମ୍‌-ଏଣ୍ଡ୍‌-ଆୱେ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିଛି । ଲିଗ୍ ପର୍ଯ୍ୟାୟରେ ୧୨ଟି ଭେନ୍ୟୁରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ ।

ଗତ ସଂସ୍କରଣର ଅନ୍ୟତମ ନୂଆ ଦଳ ଗୁଜରାଟ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ବିଶେଷକରି ନୂଆ ଦଳକୁ ନୂଆ ଅଧିନାୟକ ହାର୍ଦ୍ଦିକ ଠିକ୍ ବାଟରେ ନେଇଥିଲେ ଓ ଏହା ପାଖାପାଖି ଲକ୍ଷେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଫାଇନାଲ୍ ମ୍ୟାଚ୍‌ରେ ଉଦ୍‌ଘାଟନୀ ସଂସ୍କରଣର ଚାମ୍ପିଅନ୍ ଟିମ୍ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଟାଇଟଲ୍ ଅର୍ଜନ କରିଥିଲା । ତେଣୁ ୨୦୨୩ ସଂସ୍କରଣରେ ଏହି ଟିମ୍‌କୁ ଅନ୍ୟତମ ଫେବରିଟ୍ ମନେ କରାଯାଉଛି । ଅବଶ୍ୟ ଦଳକୁ ୫ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ୪ ଥର ଟାଇଟଲ୍ ଜିତିଥିବା ଚେନ୍ନାଇ ପୁଣିଥରେ ଟାଇଟଲ୍ ଜିତିବା ଧାରାକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ଦିଗରେ ଚେନ୍ନାଇ ଟିମ୍‌କୁ ଘରୋଇ ଦର୍ଶକଙ୍କ ସମର୍ଥନ ମୁଖ୍ୟ ଭୂମିକା ନିର୍ବାହ କରିବ । ନିକଟରେ ଅଧିନାୟକ ଧୋନି ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ଷ୍ଟାଡିୟମ୍‌ରେ ଖଚାଖଚ ଦର୍ଶକଙ୍କ ଭିଡ଼ରୁ ଏହା ସହଜେ ଅନୁମେୟ ।

ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରଥମ ଥର ପାଇଁ ଆୟୋଜକ ‘ଇମ୍ପାକ୍ଟ ପ୍ଲେୟର’ ଶୀର୍ଷକ ନିୟମ ଲାଗୁ କରିଥିବା ବେଳେ ଏଥିରେ ଅଲ୍‌ରାଉଣ୍ଡର୍‌ମାନଙ୍କୁ ଗୁରୁତ୍ୱ ଦିଆଯିବ । ତେଣୁ ଅକ୍ସନ୍‌ରେ ରେକର୍ଡ ମୂଲ୍ୟ ପାଇଥିବା ଇଂଲିଶ୍ ଅଲରାଉଣ୍ଡର୍ ସାମ୍ କୁରାନ୍ ଓ ଅଷ୍ଟ୍ରେଲିଆର କାମେରନ୍ ଗ୍ରୀନ୍‌ଙ୍କୁ ଯଥାକ୍ରମେ ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବାଇ ଉପଯୋଗ କରିବାର ସମ୍ଭାବନା ରହିଛି । ଟୁର୍ଣ୍ଣାମେଣ୍ଟ୍‌ର ଏହି ଲିଗ୍‌ରେ ଫ୍ରାଞ୍ଚାଇଜିମାନେ କିପରି ଭାବେ ଭାରତୀୟ ଦଳର ଖେଳାଳିମାନଙ୍କ ଉପରୁ ଚାପ ହ୍ରାସ କରିବା ଦିଗରେ ପଦକ୍ଷେପ ନେଉଛନ୍ତି, ତା’ ଉପରେ ବି ସମସ୍ତଙ୍କ ନଜର ରହିବ । କାରଣ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ଖେଳାଯିବ ।

ଏହାକୁ ଦୃଷ୍ଟିରେ ରଖି ପାଖାପାଖି ଦୁଇ ମାସ ଧରି ଚାଲିବାକୁ ଥିବା ଆଇପିଏଲ୍‌ରେ ଭାରତୀୟ ଦଳର ଖେଳାଳିମାନଙ୍କ ଉପରୁ ଚାପ ହ୍ରାସ ଦିଗରେ ଫ୍ରାଞ୍ଚାଇଜିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଅଧିନାୟକ ରୋହିତ ଶର୍ମା କହିସାରିଛନ୍ତି । ସେହିପରି ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ଦଳଗୁଡ଼ିକ ୪ ଜଣ ତାରକା ଖେଳାଳିଙ୍କୁ ନିଶ୍ଚିତ ଭାବେ ମିସ୍ କରିବେ । ସେମାନେ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ୍‌, ମୁମ୍ବାଇର ପ୍ରମୁଖ ପେସର୍ ଜସପ୍ରୀତ୍ ବୁମରା, କୋଲ୍‌କାତା ନାଇଟ୍ ରାଇଡର୍ସର ଅଧିନାୟକ ଶ୍ରେୟସ୍ ଆୟର୍ ଓ ପଞ୍ଜାବର ଜନ୍ନି ବେୟାର୍‌ଷ୍ଟୋ ଏବଂ ଏମାନେ ସମସ୍ତେ ଆଘାତଜନିତ ସମସ୍ୟାରୁ ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇପାରିନାହାନ୍ତି ।

ଗୁଜରାଟ ଦଳ: ଅଭିନବ ମନୋହର, ଡେଭିଡ୍ ମିଲର୍‌, ସାଇ ସୁଦର୍ଶନ, ଶୁବମାନ ଗିଲ୍‌, କେନ୍ ୱିଲିଅମ୍‌ସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରାହୁଲ୍ ଟେୱଟିଆ, ବିଜୟ ଶଙ୍କର, ରଶିଦ୍ ଖାନ୍‌, ଶିବମ୍ ମାଭି, ଶ୍ରୀକର ଭରତ, ଋଦ୍ଧିମାନ୍ ସାହା, ଉର୍ବିଲ୍ ପଟେଲ୍‌, ମାଥ୍ୟୁ ୱେଡ୍‌, ଅଲ୍‌ଜାରି ଜୋସେଫ୍‌, ଜୋଶୁଆ ଲିଟଲ୍‌, ଦର୍ଶନ ନାଲକାଣ୍ଡେ, ମହମ୍ମଦ ଶମି, ନୂର୍ ଅହମ୍ମଦ, ଆର. ସାଇ କିଶୋର, ପ୍ରଦୀପ ସାଙ୍ଗୱାନ୍‌, ମୋହିତ ଶର୍ମା, ଓଡିନ୍ ସ୍ମିଥ୍‌, ଜୟନ୍ତ ଯାଦବ ଓ ୟଶ୍ ଦୟାଲ୍ ।

ଚେନ୍ନାଇ ଦଳ: ଋତୁରାଜ ଗାଏକ୍ୱାଡ୍‌, ଆଜିଙ୍କ୍ୟ ରାହାଣେ, ଶାଇକ୍ ରଶିଦ୍‌, ଅମ୍ବାତି ରାୟୁଡୁ, ଶୁଭ୍ରାଂଶୁ ସେନାପତି, ମୋଇନ୍ ଅଲୀ, ବେନ୍ ଷ୍ଟୋକ୍ସ, ନିଶାନ୍ତ ସିନ୍ଧୁ, ଭଗତ ବର୍ମା, ଶିବମ୍ ଦୁବେ, ରବୀନ୍ଦ୍ର ଜାଡେଜା, ଡ୍ୱେନ୍ ପ୍ରିଟୋରିଅସ୍‌, ମିଚେଲ୍ ସାଣ୍ଟନର୍‌, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ତୁଷାର ଦେଶପାଣ୍ଡେ, ରାଜ୍ୟବର୍ଦ୍ଧନ ଡଙ୍ଗର୍ଗେକର୍‌, ସିସାନ୍ଦା ମାଗାଲା, ଅଜୟ ଯାଦବ ମଣ୍ଡଳ, ମଥିଶା ପାଥିରାନା, ସିମରନ୍‌ଜିତ୍ ସିଂହ, ପ୍ରଶାନ୍ତ ସୋଲାଙ୍କି ଓ ମହୀଶ ତିକ୍‌ଶାନା ।