କାବେରୀ ଜଳ ବିବାଦ: ଆଜି ବି କର୍ଣ୍ଣାଟକ ବନ୍ଦ, ବେଙ୍ଗୁଲୁରୁ ବିମାନବନ୍ଦରରୁ ୪୪ଟି ଫ୍ଲାଇଟ୍ ବାତିଲ

ତାମିଲନାଡୁ ସହିତ କାବେରୀ ନଦୀ ଜଳ ବାଣ୍ଟିବାକୁ ବିରୋଧ କରି କର୍ଣ୍ଣାଟକରେ ଆଜି ମଧ୍ୟ ବନ୍ଦ ପାଳନା କରାଯାଉଛି । ‘କନ୍ନଡ଼ ଓକୁଟା’ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବାରୁ ଆଜି ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରାୟ ୪୪ଟି ବିମାନ ଯାତ୍ରା ବାତିଲ କରାଯାଇଛି | ଏହାପରେ ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। କାବେରୀ ନଦୀର ଜଳ ପଡ଼ୋଶୀ ରାଜ୍ୟ ତାମିଲନାଡୁକୁ ଛଡ଼ାଯିବା ବିରୋଧରେ ପ୍ରତିବାଦ କରୁଥିବା କନ୍ନଡ଼ ସଙ୍ଗଠନଗୁଡ଼ିକ ମଧ୍ୟରେ ‘କନ୍ନଡ଼ ଓକୁଟା’ ଅନ୍ୟତମ। ସଂଗୃହୀତ ସୂଚନା ଅନୁସାରେ, ଚଳାଚଳଗତ ଅସୁବିଧା କାରଣରୁ ବିମାନ ଉଡ଼ାଣ ବାତିଲ କରାଯାଇଥିବା କଥା ବିମାନ ବନ୍ଦର କର୍ତ୍ତୃପକ୍ଷ କହିବା ସହିତ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ଯାତ୍ରୀମାନଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା। କିନ୍ତୁ, ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, କର୍ଣ୍ଣାଟକ ବନ୍ଦ ଯୋଗୁଁ ଅନେକ ଯାତ୍ରୀ ଟିକେଟ୍‌ କ୍ୟାନ୍‌ସଲ୍‌ କରିଦେବାରୁ ବିମାନ ଉଡ଼ାଣ ବାତିଲ କରାଯାଇଛି।

ପ୍ରତିବାଦ ପ୍ରଦର୍ଶନ ନିମନ୍ତେ କର୍ଣ୍ଣାଟକ ପତାକା ଧରି ବିମାନ ବନ୍ଦର ପରିସରରେ ପ୍ରବେଶ କରିଥିବା ୫ଜଣ କନ୍ନଡ଼ ସମର୍ଥକଙ୍କୁ ହାଜତକୁ ନିଆଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ବିମାନ ବନ୍ଦରରେ ପ୍ରବେଶ କରିବା ଲାଗି ସେ ୫ଜଣ ବିମାନ ଯାତ୍ରା ଟିକେଟ୍‌ ବୁକିଙ୍ଗ୍‌ କରିଥିଲ। ଉଲ୍ଲେଖଯୋଗ୍ୟ, କନ୍ନଡ଼ ସମର୍ଥକ ଓ କୃଷକ ସଙ୍ଗଠନ ସବୁ ‘କର୍ଣ୍ଣାଟକ ବନ୍ଦ’ ଡାକରା ଦେଇଥିବାରୁ ବିଶେଷକରି, ରାଜ୍ୟର ଦକ୍ଷିଣ ପ୍ରାନ୍ତରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଆଜି ସକାଳ ୬ଟାରୁ ଆରମ୍ଭ ‌ହୋଇଥିବା ବନ୍ଦ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ‘କନ୍ନଡ଼’ ସମର୍ଥକ ସଙ୍ଗଠନଗୁଡ଼ିକର ପ୍ରାୟ ୭୦ଜଣଙ୍କୁ ହାଜତକୁ ନିଆଯାଇଛି। ରାଜ୍ୟରେ ସମସ୍ତ ଦୋକାନ, ମଲ୍‌, ହୋଟେଲ୍‌, ରେସ୍ତୋରାଁ ଓ ଚଳଚ୍ଚିତ୍ର ପ୍ରେକ୍ଷାଳୟ, ଅଟୋ ଓ ଟ୍ୟାକ୍ସି ଚଳଚଳ ବି ବନ୍ଦ ଅଛି। ପ୍ରତିବାଦକାରୀମାନେ ରାଜପଥ ଓ ଟୋଲ୍‌ଗେଟ୍‌ ସବୁ ଅବରୋଧ କରିଛନ୍ତି।