ଭୁବନେଶ୍ୱର: ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହନରେ ଆୟୋଜିତ ଖଣ୍ଡଗିରି କୁମ୍ଭମେଳା ଶେଷ ହୋଇଛି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ନିକଟରେ ଲାଗିଥିବା ଅଖଣ୍ଡ ଦୀପ ଏଠାରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଛି । ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଚାଲିଥିବା ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମଧ୍ୟ ସ ସରିଛି । ଦେଶର କୋଣ ଅନୁକୋଣରୁ ଆସି ଏହି ମେଳାରେ ଯୋଗ ଦେଇଥିବା ସାଧୁସନ୍ଥମାନେ ସେମାନେ ଚଳାଇ ଆସିଥିବା ଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ।
ଏହି ପର୍ବରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ମେଳା ଅବସରରେ କୁମ୍ଭମେଳା ସ୍ମରଣିକା ପ୍ରସ୍ତୁତ କରାଯାଇ ୨୦୨୪ ଫେବ୍ରୁଆରୀ ୬ ତାରିଖରେ ଉନ୍ମୋଚନ ହେବ ବୋଲି ପରିଷଦର ଆବାହକ ଅଧ୍ୟକ୍ଷ ବାବା ପଞ୍ଚଦେବ ସୂଚନା ଦେଇଛନ୍ତି । କୁମ୍ଭମେଳାରେ ମା’ ବାରଭୂଜା କମିଟି, ସ୍ଥାନୀୟ ପୂର୍ବତନ କର୍ପୋରେଟର, ବର୍ତ୍ତମାନ କର୍ପୋରେଟର, ଜାଗମରା ସାଂସ୍କୃତିକ କମିଟି, ଖଣ୍ଡଗିରି ଗାଁ ଆଖଡ଼ା କମିଟି ସାହାଯ୍ୟ କରିଥିଲେ । ସମସ୍ତଙ୍କୁ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଅନ୍ତର୍ଭୁକ୍ତ ବ୍ୟବସ୍ଥାପକ ବ୍ରହ୍ମଚାରୀ ବିଶ୍ୱ ଚୈତନ୍ୟ ବାବା ଆଲୋକ ଦାସ, ବାବା ଚନ୍ଦନ ଦାସ, ସ୍ୱାମୀ ବିଷ୍ଣୁଗିରି ମହାରାଜ ଓ ପଣ୍ଡିତ ଭକ୍ତଚରଣ ଦାସ ପ୍ରମୁଖ ସାଧୁସନ୍ଥମାନେ କୃତଜ୍ଞତା ଜଣାଇଛନ୍ତି ।