ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ ; ଛତ୍ରପୁର ବ୍ଲକ ଟପ୍ପର ହେଲେ ବିପୁଳିଙ୍ଗିର ରୁଦ୍ର ନାରାୟଣ ପଣ୍ଡା

ଛତ୍ରପୁର ୧୮/୫ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୩ ମାଟ୍ରିକ ପରୀକ୍ଷା ଫଳାଫଳ ଗୁରୁବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର ପ୍ରାୟ ୯୮ ପ୍ରତିଶତ ପାସ ହାର ରହିଛି । ଚଳିତ ବର୍ଷ ଛତ୍ରପୁର ବ୍ଲକ ସମସ୍ତ ହାଇସ୍କୁଲରୁ ୧୬୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୧୬୫୬ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଚଳିତ ବର୍ଷ ଛତ୍ରପୁର ବ୍ଲକରେ ଫଳାଫଳ ଭଲ ହୋଇଥିବାରୁ ଛାତ୍ରଛାତୀ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ହାଇସ୍କୁଲର ରୁଦ୍ର ନାରାୟଣ ପଣ୍ଡା ମୋଟ ୬୦୦ ରୁ ୫୬୮ ନମ୍ବର ମାର୍କ ରଖି ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ବିପୁଳିଙ୍ଗି ଗ୍ରାମ ନିବାସୀ କରାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିଳାଚଳ ପଣ୍ଡା ଓ ତେଲାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ବିଦ୍ୟୁତ ପ୍ରଭା ନନ୍ଦଙ୍କ ପୁଅ ଅଟନ୍ତି ।

ସେ ସଫଳତାର ଶ୍ରେୟ ତାଙ୍କ ଜେଜେମା, ବାପା, ମା, ଶିକ୍ଷକ ଶିକ୍ଷୟତ୍ରୀ ଓ ଭଉଣୀକୁ ଦେଇଛନ୍ତି । ସେ ଦିନକୁ ୧୩ ରୁ ୧୪ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଆଗାମୀ ଦିନରେ ଜେଇ ମେଇନ ଦେଇ ଆଇଆଇଟି କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ଏନେଇ ଆଜି ବିପୁଳିଙ୍ଗି ପଂଚାୟତ କାର୍ଯ୍ୟାଳୟରେ ରୁଦ୍ର ନାରାୟଣ ପଣ୍ଡାଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ବିପୁଳିଙ୍ଗି ହାଇସ୍କୁଲର ୫ ଜଣ ଛାତ୍ରଛାତ୍ରୀ ଏ ୧ ଗ୍ରେଡ ରଖି କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ମଧ୍ୟ ବିଧାୟକ ଶ୍ରୀ ବେହେରା ପୁଷ୍ପଗୁଚ୍ଛ ସହ ମିଷ୍ଠାନ୍ନ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ବିପୁଳିଙ୍ଗି ସରପଂଚ ହିନା ସେଠୀ, ସୁରେଶ ଦାଶ, ପୂର୍ଣ୍ଣ ଚନ୍ଦ୍ର ଦାଶ, କିଶୋର ବେହେରାଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।