ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ସଂପର୍କରେ ପୂର୍ବାନୁମାନ ଜାରି କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ଭାବେ ଜୁନ ୧ରେ କେରଳ ଛୁଇଁଥାଏ ଓ ଏହାର ୭-୮ ଦିନ ପରେ ଓଡ଼ିଶା ଆସିଥାଏ । ମାତ୍ର ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ଅର୍ଥାତ୍ ଜୁନ୍ ୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ (monsoon) ବାୟୁ କେରଳ ଛୁଇଁବ । ଜୁନ୍ ୧ ବଦଳରେ ସାମାନ୍ୟ ବିଳମ୍ବରେ ତଥା ୪ରେ କେରଳ ଛୁଇଁବ ମୌସୁମୀ । ତେବେ ମୌସୁମୀ ଜୁନ୍ ୧୩ ତାରିଖ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି ।
ଅନ୍ୟପଟେ ଚଳିତ ମେ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସାଧାରଣତଃ ମୌସୁମୀ ଆସିବା ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ମୌସୁମୀ ବାୟୁ ଭିଡ଼ି ଆଣିବାରେ ସହାୟକ ହୋଇଥାଏ । ପୂର୍ବରୁ ଆସିଥିବା ରିପୋର୍ଟ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨୦ ତାରିଖରେ ଆଣ୍ଡାମାନ ଛୁଇଁବ ଓ ୨୨ ତାରିଖ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜକୁ ଆବୃତ କରିବ । ମାଡାଗାସ୍କର ନିକଟରେ ମାସକ୍ରେନାସ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
କହିରଖୁ କି, ୨୦୨୦ ରେ ମେ” ୨୯ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁଥିବା ବେଳେ ୨୦୨୧ ରେ ଜୁନ ୩ ତାରିଖ ଓ ୨୦୨୦ ରେ ଜୁନ ୧ ତାରିଖରେ କେରଳ ଛୁଇଁଥିଲା ମୌସୁମୀ । ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରିଥିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
read in english