ରାଜ୍ୟ ସରକାରଙ୍କ ଘୋଷଣା: ଇ-ଯାନ କିଣିଲେ ମିଳିବ ରିହାତି

ରାଜ୍ୟ କ୍ୟାବିନେଟ୍ ରେ ଓଡ଼ିଶା ବିଦ୍ୟୁତ ଯାନ ନୀତି-୨୦୨୧ରେ ସଂଶୋଧନ କରିବା ପରେ ରାଜ୍ୟ ସରକାର ଇଲେକ୍ଟ୍ରି ଗାଡ଼ି କିଣାରେ ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି। ସଂଶୋଧିତ ନୀତି ଅନୁସାରେ ଏଣିକି ଦୁଇଚକିଆ ଇଲେକ୍ଟି ଗାଡ଼ି କିଣିଲେ ସର୍ବାଧିକ ୨୦ହଜାର ଟଙ୍କା, ତିନିଚକିଆ ଯାନରେ ୩୦ହଜାର ଟଙ୍କା ଓ ଚାରିଚକିଆ ଯାନରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ସରକାର ଦେବେ। ଇଲେକ୍ଟ୍ରି ଯାନ କିଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ବୁଧବାର ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସୂଚନା ଅନୁସାରେ, ରାଜ୍ୟ ସରକାର ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦% ବିଦ୍ୟୁତଚାଳିତ ଯାନ ଚଳାଚଳ ଲକ୍ଷ୍ୟ ହାସଲ ପାଇଁ ଗତ ସୋମବାର ଓଡ଼ିଶା ବିଦ୍ୟୁତଚାଳିତ ଯାନ ନୀତି-୨୦୨୧ରେ ସଂଶୋଧନ କରିଛନ୍ତି । ୨୦୨୨ ମସିହା ଶେଷସୁଦ୍ଧା ରାଜ୍ୟରେ ମାତ୍ର ୪.୪୮% ବିଦ୍ୟୁତ ଚାଳିତ ଯାନ ପଞ୍ଜିକରଣ ହୋଇଥିବାରୁ ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡ଼ି କ୍ରୟ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି । ଦୁଇଚକିଆ ଯାନ ଉପରେ ରିହାତି କିଲୋୱାଟ ପିଛା ୫ହଜାର ଟଙ୍କା ଓ ସର୍ବାଧିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ତିନିଚକିଆ ଗାଡ଼ିରେ ୩୦ହଜାର ଟଙ୍କା(ଗାଡ଼ି ପିଛା) ରିହାତି ମିଳିବ ଏବଂ ଚାରିଚକିଆ ବିଦ୍ୟୁତଚାଳିତ ଯାନରେ କିଲୋୱାଟ ପିଛା ୧୦ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ।