ଦାସିଆ ଅଜାଙ୍କ ପାଠାଗାର ପରିଦର୍ଶନ କଲେ ଓଡ଼ିଶା ବିଧାନସଭା ପାଠାଗାର ଗୃହ କମିଟି

ନୂଆଗାଁ ::ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ବୁଲି ଦେଖିଲେ ଓଡିଶା ବିଧାନସଭା ପାଠାଗାର ଗୃହ କମିଟି। ପାଠାଗାର ଗୃହ କମିଟିର ୧୧ ଜଣ ବିଧାୟକ ଦାସିଆ ଅଜାଙ୍କ ସାଧନା ପୀଠରେ ପହଞ୍ଚି ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପାଠାଗାର ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଥିବା ଓ ବର୍ତ୍ତମାନ ସଂଗୃହିତ ହେଉଥିବା ଲକ୍ଷାଧିକ ପୁସ୍ତକ ସମ୍ଭାର ଓ ଦେଶ ବିଦେଶର ଶହ ଶହ ପୁରାତନ କଳାକୃତି ଓ ଦୁର୍ଲ୍ଲଭ ସାମଗ୍ରୀକୁ ଦେଖି ବିଧାୟକ ମାନେ ଅଭିଭୂତ ହୋଇ ପଡ଼ିଥିଲେ। ଦାସିଆ ଅଜାଙ୍କ ବିରଳ ସାଧନାକୁ ବିଧାୟକ ମାନେ ଖୁବ୍ ପ୍ରଶଂସା କରିଥିଲେ।

ଓଡ଼ିଆ ଜାତିର ଏହି ବିରଳ ସାଧକଙ୍କ ଅମ୍ଳାନ ସ୍ମୃତି ରକ୍ଷାପାଇଁ ଏବଂ ରାଜ୍ୟ ଓ ଦେଶର ଦାସିଆ ଅଜାଙ୍କ ବିରଳ ସାଂସ୍କୃତିକ ସମ୍ଭାରକୁ ବିଶ୍ବସ୍ତରୀୟ ଭାବେ ବିକଶିତ ପାଇଁ ଓଡିଶା ବିଧାନ ସଭା ପାଠାଗାର ଗୃହ କମିଟି ପକ୍ଷରୁ ଖୁବ୍ ଶୀଘ୍ର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ କରାଯିବ ବୋଲି ଗୃହ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ ଓ ମାନ୍ୟବର ବିଧାୟକ ମାନେ ମତ ପ୍ରକାଶ କରିଥଲେ। ଏହି ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ, ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଓଡିଶା ବିଧାନ ସଭା ର ବହୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଦାସିଆ ଅଜାଙ୍କ ସାଧନା ପୀଠରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ତତ୍ୱା ବଧାନରେ ସମସ୍ତ ବିଧାୟକ ମାନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଧାୟକ ମାନଙ୍କୁ ଦେଖିବାପାଇଁ ଦାସିଆ ଅଜାଙ୍କ ସାଧନା ପୀଠ ଲୋକାରଣ୍ୟ  ହୋଇଥିଲା।