ଏସସିବିରେ ବିଦ୍ୟୁତ ବିଭ୍ରାଟ, ରୋଗୀ ନାହିଁ ନଥିବା ହଇରାଣ

ଏସ୍‌ସିବି ଡାକ୍ତରଖାନାରେ ଦେଖାଦେଇଛି ଅଭାବନୀୟ ସ୍ଥିତି  । ଏକ କେବଲ୍‌ ଲାଇନ୍‌ରେ ସମସ୍ୟା ହେବାରୁ ମେଡିସିନ୍‌ ବିଭାଗର ଷଷ୍ଠ ୟୁନିଟ୍‌ ୱାର୍ଡ ସମେତ ଆନାଟୋମି ବିଭାଗ ଏବଂ ପୋଷ୍ଟମମର୍ଟମ୍‌ ରୁମ୍‌ ଶନିବାରସକାଳୁ ଅନ୍ଧାରରେ ରହିଥିଲା । ଦୀର୍ଘ ୮ଘଣ୍ଟା ଧରି ମେଡିସିନ୍‌ ଷଷ୍ଠ ୟୁନିଟ୍‌ ୱାର୍ଡରେ ଚିକିତ୍ସାଧୀନ ମହିଳା ଓ ପୁରୁଷ ରୋଗୀ ଅନ୍ଧାର, ଗରମରେ ଛଟପଟ ହୋଇଥିଲେ । ଏପରିସ୍ଥଳେ ନର୍ସିଂ ଷ୍ଟାଫ୍‌ମାନେ ମୋବାଇଲ୍‌ ଟର୍ଚ୍ଚ ଆଲୁଅରେ ରୋଗୀଙ୍କୁ ଇଞ୍ଜେକସନ୍‌ ଏବଂ ସାଲାଇନ୍‌ ଦେଇଥିଲେ । ରୋଗୀ ସମ୍ପର୍କୀୟମାନେ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ ମାରି ଦେଖାଇବାରୁ ନର୍ସିଂ ଷ୍ଟାଫ୍‌ମାନେ ରୋଗୀଙ୍କ ଦେହରୁ ରକ୍ତ ନମୁନା ସଂଗ୍ରହ କରିଥିଲେ ।

ସୂଚନା ଅନୁସାରେ ଆନାଟୋମି ବିଭାଗ, ମେଡିସିନ୍‌ ଷଷ୍ଠ ୟୁନିଟ୍‌ର ନୂତନ ୱାର୍ଡ ଏବଂ ପୋଷ୍ଟମର୍ଟମ ଗୃହକୁ ସଂଯୋଗ ହୋଇଥିବା ଇଲେକ୍ଟ୍ରି କେବଲ୍‌ରେ ଗତକାଲିଠାରୁ କିଛି ମାତ୍ରାରେ ତ୍ରୁଟି ଥିଲା । ଏ ସମସ୍ୟା ସମ୍ପର୍କରେ ଜିଇଡି ବିଭାଗ ଯନ୍ତ୍ରୀ ଅବଗତ ଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ତେଣୁ ଶନିବାର ସକାଳୁ ଏସବୁ ସ୍ଥାନକୁ ବିଜୁଳି ସରବରାହ ଠପ୍‌ ହୋଇଯାଇଥିଲା । ଅନ୍ୟପକ୍ଷରେ ଏହି ଆଜ୍‌ବେଷ୍ଟସ୍‌ ଘର ଭିତରେ ଶହ ଶହ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଗୋଟିଏ ଜାଗାରେ ହାଉଯାଉ ହେବା ମଧ୍ୟରେ ଗରମ ଏବଂ ଗୁଳୁଗୁଳିରେ ଅନେକ ରୋଗୀ ଅଣନିଶ୍ୱାସୀ ହୋଇପଡ଼ିଥିଲେ । ସମ୍ପର୍କୀୟମାନେ ଅନେକ ରୋଗୀଙ୍କୁ ୱାର୍ଡରୁ ବାହାରକୁ ନେଇ ପଳାଇଥିଲେ । ଅଧା ଚିକିତ୍ସାରୁ ଡାକ୍ତରଖାନା ଛାଡ଼ୁଥିବା ରୋଗୀମାନଙ୍କ ମଧ୍ୟରୁ ଜୀବନ ବଞ୍ଚାଇବା ପାଇଁ କେତେଜଣ ଘରୋଇ ଡାକ୍ତରଖାନା ଯାଇ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । 

ସେହିପରି ଆନାଟୋମି ବିଭାଗ ଏବଂ ପୋଷ୍ଟମର୍ଟମ ରୁମ୍‌ ମଧ୍ୟ ଆଦି ଦିନ ତମାମ୍‌ ଅନ୍ଧାରରେ ରହିଥିଲା । ଫଳରେ ଶବ ବ୍ୟବଚ୍ଛେଦ କାର୍ଯ୍ୟରେ ବାଧା ଉପୁଜିଥିଲା ସହ  ଆନାଟୋମି ବିଭାଗରେ ଡାକ୍ତରୀ ଛାତ୍ରମାନଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା । ଏଥିପାଇଁ  ପ୍ରତିବାଦର ସ୍ୱର ବଢ଼ିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଜିଇଡି ଯନ୍ତ୍ରୀଙ୍କୁ ତାଗିଦ୍‌ କରିବା ପରେ ସନ୍ଧ୍ୟାରେ ମରାମତି କାମ ଆରମ୍ଭ ହୋଇଥିଲା । ବିଳମ୍ବିତ ସନ୍ଧ୍ୟାରେ ବିଜୁଳି ସଂଯୋଗ ମେଡିସିନ୍‌ ଷଷ୍ଠ ୟୁନିଟ୍‌କୁ ଯାଇଥିଲେ ହେଁ ଆନାଟୋମି ଏବଂ ପୋଷ୍ଟମର୍ଟମ ରୁମ୍‌ର ଆଲୁଅ ଜଳିପାରି ନାହିଁ । ଡାକ୍ତରଖାନାରେ ଏଭଳି ଶୋଚନୀୟ ଅବସ୍ଥା ଆଗକୁ ନହେବା ପାଇଁ ସୁବିଧା କରାଯାଉ ବୋଲି ରୋଗୀ ଓ ତାଙ୍କ ସାମ୍ପକୀୟ ଦାବି କରୁଛନ୍ତି ।