ଦନ୍ତେୱାଡା ନକ୍ସଲ ଆକ୍ରମଣକୁ ରାଷ୍ଟ୍ରପତିଙ୍କ ନିନ୍ଦା

ନୂଆଦିଲ୍ଲୀ: ଛତିଶଗଡ଼଼ର ଦନ୍ତେୱାଡା ଠାରେ ଯବାନମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିନ୍ଦା କରିଛନ୍ତି। ସେ ଦେଶବାସୀଙ୍କ ପକ୍ଷରୁ ପ୍ରତିରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ବଳୀଦାନ ଦେଇଥିବା ସାହସୀ ସୈନିକମାନଙ୍କ ପରିବାର ଓ ପ୍ରୀୟଜନଙ୍କୁ ସମବେଦନା ଜଣାଇଛନ୍ତି। ଗତକାଲି ଛତିଶଗଡ଼଼ର ଦନ୍ତେୱାଡା ଜିଲ୍ଲା ଅରଣପୁର ନିକଟରେ ପ୍ରେସ୍‌‌ର ଆଇଡି ବିସ୍ଫୋରଣରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର୍‌‌ଙ୍କ ପ୍ରାଣହାନୀ ଘଟିଥିଲା।

ସୂଚନା ଅନୁଯାୟୀ, ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଛି। ଆଇଡି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଛନ୍ତି । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି ଯବାନ ଓ ଜଣେ ଡ୍ରାଇଭର । ବିସ୍ଫୋରଣର ତୀବ୍ରତା ଏତେ ପ୍ରଚଣ୍ଡ ରହିଥିଲା ଯେ, ଗାଡ଼ି ପ୍ରାୟ ୨୦ଫୁଟ ଉପରକୁ ଉଠି ଛିନ୍‌ଛତ୍ର ହୋଇଯାଇଥିଲା । ଅରନପୁର ଅଞ୍ଚଳରେ ମ‌ାଓବାଦୀଙ୍କ ଗତିବିଧି ନେଇ ସୂଚନା ପାଇ ଡିଆରଜି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ଏହି ଖବର ମାଓବାଦୀ ଶିବିରରେ ପହଞ୍ଚି ଯାଇଥିଲା ।

ତେଣୁ ଆକ୍ରମଣ ପାଇଁ ଯୋଜନା କରି ଫେରିବା ବାଟରେ ଆମ୍ବୁସ୍‌ ଲଗାଇ ରହିଥିଲେ। ଗାଡ଼ି ଭଡ଼ା କରି ଯବାନମାନେ ଫେରିବା ସମୟରେ ଅରନପୁର-ସମେଲି ରାସ୍ତାରେ ମାଓବାଦୀ ବଡ଼ଧରଣର ବିସ୍ଫୋରଣ କରିଥିଲେ । ଘଟଣାସ୍ଥଳରେ ହିଁ ହେଡ୍‌ କନେଷ୍ଟବଳ ଜୋଗା ସୋଢ଼ୀ, ମୁନାରାମ କଡତୀ, ସନ୍ତୋଷ ତାମୋ, କନେଷ୍ଟବଳ ଦୁଗୋ ମଣ୍ଡାବୀ, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବୀ, ଯବାନ ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ସହିଦ ହୋଇଯାଇଥିଲେ। ଗାଡ଼ି ଚାଳକ ଧନୀରାମ ଯାଦବଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।