ଝଗଡେଇ ଠାରୁ ଭାୟା ଜାହାଡା ସୋରଡ଼ା ରାସ୍ତା କାର୍ଯ୍ୟ ଆରମ୍ଭରେ ବିଳମ୍ବକୁ ନେଇ ଜନ ଅସନ୍ତୋଷ

ଆସିକା ୧୪/୦୫: ଭଞ୍ଜନଗର ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ଗାଙ୍ଗପୁର ଓ ସୋରଡ଼ା ସେକ୍ସନ ର ୨୪ କିମି ଓ.ଡି.ଆର ରୋଡ ନିର୍ମାଣ ପାଇଁ ୨୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ତିଆରି କରିବା ପାଇଁ ଦୁଇ ବର୍ଷ ପୂର୍ବରୁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା l ଏହି ରାସ୍ତା ନିର୍ମାଣ ପାଇଁ ବ୍ରହ୍ମପୁର ସାମନ୍ତରାୟ କାନଷ୍ଟ୍ରାକ୍ସନକୁ ଟେଣ୍ଡର ଦିଆ ଯାଇଥିଲା l ବିଭାଗୀୟ ଚୁକ୍ତି ମୁତାବକ ଏହି କମ୍ପାନୀ ୨୦୨୨ ଅକ୍ଟୋବର ସୁଦ୍ଧା ଝଗଡେଇ ନିକଟ ମଙ୍ଗଳପୁର ଛକରୁ ଭାୟା ଜାହାଡା ଦେଇ ସୋରଡ଼ା ନୂଆଗାଁ ଛକ ପର୍ଯ୍ୟନ୍ତ ଦୀର୍ଘ ୨୪ କିମି ରାସ୍ତା କାର୍ଯ୍ୟ ଶେଷ କରିବାର ଥିଲା l

ବହୁ ବିଳମ୍ବରେ ଅକ୍ଟୋବର ୨୦୨୨ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା l ୨୦୨୨ଅକ୍ଟୋବର ମାସରୁ ୨୦୨୩ ମାର୍ଚ୍ଚ ୫ମାସ ମଧ୍ୟରେ ଜାହାଡା ଠାରୁ ଜଗମୋହନ, ନନ୍ଦିଗୋର,ଚମ୍ପାପଲ୍ଲୀ, ନୂଆଗାଁ ଛକ, ଗଙ୍ଗାପୁର ଓ ମଙ୍ଗଳ ପୁର ଛକ ପଯ୍ୟନ୍ତ ହୋଇଥିବା ରାସ୍ତା, କଲଭଟ, ବକ୍ସ ବ୍ରିଜ କାଯ୍ୟ ନିମ୍ନ ମାନର ହେଉଥିବା ଯୋଗୁଁ ସ୍ଥାନୀୟ ନନ୍ଦିଗୋର, ଗଙ୍ଗା ପୁର ଓ ମଙ୍ଗଳପୁର ପଞ୍ଚାୟତ ଲୋକ ପ୍ରତିନିଧି ମାନେ ପ୍ରତିବାଦ କରିବା ପରେ କାଯ୍ୟ ବନ୍ଦ ରହିଥିଲା l ପରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଏହି ବିବାଦୀୟ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆସି ଶୁଭ ଉଦଘାଟନ କରି ତୁରନ୍ତ କାଯ୍ୟ ଆରମ୍ଭ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ l ଏହା ସତ୍ୱେ ଏହି କାର୍ଯ୍ୟ ଠିକାଦାର ଜଣକ ଏଵେ ସୁଦ୍ଧା ଆରମ୍ଭ କରିନାହାନ୍ତି l

ଠିକା ଦାର ଜଣକ ନିଜ ଇଚ୍ଛା ମୁତାବକ ବିଭାଗର ସମସ୍ତ ନିୟମ ଭାଙ୍ଗି ରାସ୍ତା ଗୁଡିକ ଖୋଳି ଖାଲ ଖମା ସାଙ୍ଗକୁ ଡ଼ାଇଭର୍ଶନ କରି ସମ୍ପୂର୍ଣ ରାସ୍ତାଟିକୁ ନଷ୍ଟ କରିଦେଇଛନ୍ତି l ଯାହା ଫଳରେ ଆସିକାରୁ ଜାହାଡା ସୋରଡ଼ାକୁ ଦୈନନ୍ଦିନ ଯାଉଥିବା କରୁଥିବା ୩୦ଖଣ୍ଡ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଯାନବାହାନ ଯିବା ତ ଦୂରର କଥା ଚାଲିବା ପାଇଁ ମଧ୍ୟ ସମ୍ଭବପର ହେଉନାହିଁ l ଦୈନିକ ସ୍କୁଲ ଯିବା ଆମ୍ବୁଲାନ୍ସ ଯାତାୟାତ ସମ୍ପୂର୍ଣ ରୂପେ ଠପ ହୋଇଯାଇଛି l

ଏହି କାଯ୍ୟ ବିଳମ୍ବ ଓ ନିମ୍ନ ମାନର ହୋଇଥିବା ସତ୍ୱେ ସ୍ଥାନୀୟ ଅଞ୍ଚଳ ବାସୀ ବାରମ୍ବାର ପୂର୍ତ୍ତ ବିଭାଗ ଉଚ୍ଚ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଆକାରରେ ଅଭିଯୋଗ କଲେ ମଧ୍ୟ ଠିକାଦାର ଜଣକ ପ୍ରଭାବ ଶାଳୀ ଥିବା ଯୋଗୁଁ ଠିକାଦାରଙ୍କ ବିରୁଦ୍ଧରେ ବିଭାଗ କୌଣସି ପଦକ୍ଷେପ ନେଉନାହାନ୍ତି l ତୁରନ୍ତ ଏହି ରାସ୍ତା ନିର୍ମାଣର ବିଳମ୍ବ ଓ ନିମ୍ନ ମାନର କାର୍ଯ୍ୟକୁ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ତଦନ୍ତ କରି ଏହି ଭଳି ଏକ ଦାୟିତ୍ୱ ହୀନ ଓ ଦୁର୍ନୀତି ଖୋର ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ଠିକାଦାର କୁ ବ୍ଲାକ ଲିସ୍ଟେଡ଼ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି l

ରିପୋର୍ଟ- ଜଗନ୍ନାଥ ସାହୁ