ସୁଣିଲାନି ବିଭାଗ, ଜମିକୁ ପାଣି ଆଣିବା ପାଇଁ ଲାଗିଛନ୍ତି କୃଷକ

ଧରାକୋଟ: ଚଳିତ ବର୍ଷ ଚାଷିଙ୍କ ପିଛା ଛାଡୁନି ସମସ୍ୟା । କୃଷି ଋତୁ ଆରମ୍ଭ ରେ ମୌସୁମୀ ବିଳମ୍ବିତ ପରେ ବର୍ଷାର ଲୁଚୁକାଳି ଯୋଗୁ ଧାନ ରୁଆରେ ଅହେତୁକ ଡେରି ହୋଇ ଥିଲା । ଏବେ ବି ଗଂଜାମ ଜିଲ୍ଲାରେ ଆବଶ୍ୟକ ମୁତାବକ ବର୍ଷାର ଅଭାବ ରହିଛି । ତେଣୁ ଅନେକ ସ୍ଥାନରେ ଲୋକେ ଚାଷ ଜମିରେ ଜଳ ସେଚନ କରି ନପାରି ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଏପଟେ କୃଷକଙ୍କ ଉନ୍ନତି ପାଇଁ ସରକାର ପାଣି ପରି ଅର୍ଥ ଖର୍ଚ କରୁଛନ୍ତି । ଜଳ ସେଚନ ପାଇଁ ମଧ୍ୟ ଅନେକ ବ୍ୟବସ୍ଥା ସରକାର କରିଛନ୍ତି । ହେଲେ ସବୁ ସ୍ଥାନରେ ଜଳ ସେଚନର ଲଗ୍ନ ଚିତ୍ର ଦେଖି ବାକୁ ମିଳୁଛି । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜଗମୋହନ,ନନ୍ଦିଗୋର,ପୁଉଟୁ ଆଦି ଗ୍ରାମର ଚାଷି ଏବେ ଜମିରେ ଜଳ ଅଭାବକୁ ନେଇ ଚିନ୍ତାରେ । ଆଖପାଖ ଗ୍ରାମକୁ ଜଳ ସେଚନ ପାଇଁ ଜଳ ସେଚନ ବିଭାଗ ପକ୍ଷରୁ ଋଷୁକୁଲ୍ୟା ନଦୀରୁ ଝାହାଡା ନିକଟରୁ ଏକ କେନାଲ ନିର୍ମାଣ କରାଯାଇଛି ।

ଏହି କେନାଲ ଉପରେ ଝାଡ଼ାଡା,ମୁକ୍ତାପୁଞ୍ଜି ପୁଉଟୁ ନନ୍ଦିଗୋର,ଜଗମୋହନ ଓ ଗଙ୍ଗାପୁର ଆଦି ଗାଁ ଲୋକେ ଜମିରେ ଜଳ ସେଚନ ପାଇଁ ନିର୍ଭର କରନ୍ତି । ଏବେ ଧାନରେ ପୁଡା ଧରିବା ସମୟ । ଏହି ସମୟରେ ସାର ପକାଇଲେ ଭଲ ଧାନ ହେବ । ହେଲେ ବର୍ଷା ଅଭାବ ଫଳରେ ଜମିରେ ପାଣି ନାହିଁ।ଜମି ସୁଖିଲା ପଡ଼ିଛି । ଏପଟେ ଜଳ ସେଚନ ଉଦ୍ଧିଷ୍ଟ ଥିବା କେନାଲରେ ବିଭାଗର ଖାମ ଖିଆଲି ନୀତି ଯୋଗୁ ପାଣି ଆସୁ ନାହିଁ । ଯାହା ଫଳରେ ଚାଷି ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ରହିଛନ୍ତି। ଆଉ ଏହି ସମସ୍ୟା ବିଷୟରେ ବିଭାଗୀୟ କର୍ମଚାରିଙ୍କୁ ଲୋକେ ବାରମ୍ବାର କହିବା ପରେ ବି କୌଣସି ସୁଫଳ ମିଳିନି।ତେଣୁ ପୁଉଟୁ,ନନ୍ଦିଗୋର,ଜଗମୋହନ ଆଦି ଗ୍ରାମର କୃଷକ ମାନେ ଏବେ ନିଜେ କେନାଳ ସଫା କରି ଜମିକୁ ପାଣି ଆଣିବାର ସଫଳ କରିଛନ୍ତି ।