ଢେଙ୍କାନାଳ : ରାତିରେ ଘରୁ ଉଠାଇନେଇ ଯୁବକଙ୍କୁ ପିଟିପିଟି ହତ୍ୟା। ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗ୍ରାମରେ ଚୋରି ଘଟଣାରୁ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଡେଙ୍ଗ ବୋରେଇ ଗ୍ରାମର ଅକ୍ଷୟ ପଣ୍ଡା ଓ ଆହତ ହୋଇଥିବା ଯୁବକ ଉକ୍ତ ଗ୍ରାମର ଲିଟୁନ ନାୟକ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରି ସଦର ଥାନା ପୁଲିସ ଛାନଭିନ୍ ଜାରି ରଖିଛି।ସୂଚନା ମୁତାବକ, ଗତ କିଛିଦିନ ପୂର୍ବେ ଡେଙ୍ଗବୋରେଇ ଗ୍ରାମର ହେମନ୍ତ ରାଉତଙ୍କ ଘରୁ ସିସିଟିଭି, ପାଣିପମ୍ପ ଆଦି ସାମଗ୍ରୀ ଚୋରିହୋଇଥିଲା ।
ଏହି ଚୋରି ଘଟଣାରେ ଅକ୍ଷୟ ପଣ୍ଡା ଓ ଆହତ ଲିଟୁନ ନାୟକଙ୍କୁ ସନ୍ଦେହ କରାଯାଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଗ୍ରାମ କମିଟି ଅନୁରୋଧ କ୍ରମେ ସଦର ପୁଲିସ ଗାଁ ସଭାରେ ସମାଧାନ ପାଇଁ ଅପେକ୍ଷା କରିଥିଲା। ମାତ୍ର ଗାଁ ସଭାରେ ଉଭୟ ଚୋରି କରିଥିବା ସମ୍ପର୍କରେ ପ୍ରତ୍ୟାଖାନ କରିବାରୁ ହେମନ୍ତ ରାଉତଙ୍କ ପରିବାର ଉତକ୍ଷିପ୍ତ ହୋଇଥିଲେ । ଗତ ରାତିରେ ହେମନ୍ତ ରାଉତ ଓ ତାଙ୍କ ଭାଇମାନେ ମିଶି ଉଭୟଙ୍କୁ ଘରୁ ଡାକି ନେଇ ଇନ୍ଦିପୁର ପଥର ଖଦାନରେ ରାତି ତମାମ ପାଣି ଢାଳି ଢାଳି ଲୁହା ପାଇପ ଓ ରଡ଼ରେ ନିର୍ଧୁମ ପିଟିଥିଲେ। ଫଳରେ ଅକ୍ଷୟଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।