22 ଲକ୍ଷ ଟଙ୍କାରେ ନିଲାମ ହେଲା 31 କ୍ୱିଣ୍ଟାଲର ଲଡ଼ୁ

ନିଲାମ ହେଲା ସବୁଠାରୁ ବଡ଼ ଲଡୁ । ତାଳଚେର ଗଣେଶ ପୂଜାର ୩୧ କ୍ୱିଣ୍ଟାଲ ଓଜନର ଆଜ୍ଞାଲଡ଼ୁ ନିଲାମ୍ ହୋଇଛି  । ୨୨ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଏହି ଲଡୁକୁ କିଣିଲା ତାଳଚେର ଲାଲବାଗ ରାଜା ଅନୁଷ୍ଠାନ । ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମିଟିର ସଭାପତି, ଉପଜିଲ୍ଲାପାଳ ଏବଂ ମୁଖ୍ୟ ଅତିଥି ଭାବେ ଢ଼େଙ୍କନାଳ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ଗତକାଲି  ତାଳଚେର ଗଣେଶ ପୂଜାର ଶେଷ ଦିନରେ ଏହି ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଟ୍ରକରେ ଏହି ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା ।

ଏହି  ଆଜ୍ଞା ଲଡ଼ୁକୁ ୨ ଦିନରେ ତିଆରି କରିଥିଲେ ୪୦ କାରିଗର । ପ୍ରଶାସନ , ତାଳଚେର ବିଧାୟକ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ଲଡୁର ନିଲାମ ଡକାଯାଇଥିଲା । ୮ ଲକ୍ଷ ୭୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲାଲବାଗ ରାଜା ଅନୁଷ୍ଠାନ ନିଲାମ ଧରିଥିଲା  । ସ୍ଥାନୀୟ ବାସିନ୍ଦା  ଅନୀଲ ବେହେରା ୨୧ ଲକ୍ଷ ୫୦ ହଜାର ଟଙ୍କା ନିଲାମ ଡାକି ଲଡ଼ୁ ନେବାରେ ଅସଫଳ ହୋଇଥିଲେ । ଶେଷରେ ତାଳଚେରର ଲାଲ ବାଗ ରାଜା ଅନୁଷ୍ଠାନ ନିଲାମ ପ୍ରକ୍ରିୟାର ବିଜେତା ହୋଇଥିଲା । ୮ ଲକ୍ଷ ୭୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲାଲବାଗ ରାଜା ଅନୁଷ୍ଠାନ ନିଲାମ ଧରିଛି । ଚଳିତ ବର୍ଷ ତାଳଚେରର ଏହି ଆଜ୍ଞାଲଡୁ ୱାର୍ଲଡ ରେକର୍ଡ କରିଛି । ପୂର୍ବରୁ ମୁମ୍ବାଇରେ ୨୨ କୁଇଣ୍ଟାଲ ରେକର୍ଡ ଥିବା ବେଳେ ତାଳଚେରରେ ଚଳିତ ବର୍ଷ ୩୧ କୁଇଣ୍ଟାଲ ଓଜନର ରହିଛି । ଆଜି  ତାଳଚେରରେ ଅନୁଷ୍ଠିତ ହେବ ଭସାଣି ଉତ୍ସବ।