ପ୍ରସିଦ୍ଧ ଲେଖକ ତଥା ସ୍ତମ୍ଭକାର ତାରେକ ଫତହଙ୍କ ୭୩ ବର୍ଷରେ ପରଲୋକ, ଝିଅ ଦେଲେ ସୂଚନା

କାନାଡାରେ ରହୁଥିବା ପାକିସ୍ତାନୀ ମୂଳ ଜଣାଶୁଣା ଲେଖକ ତଥା ସ୍ତମ୍ଭକାର ତାରେକ୍ ଫତେହଙ୍କ ପରଲୋକ ହୋଇଛି । 73 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ସୋମବାର ତାଙ୍କ ଝିଅ ନତାଶା ଫତେହ ସୂଚନା ଦେଇଛନ୍ତି । ସେ କର୍କଟ ରୋଗରେ ପୀଡିତ ଥିଲେ । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ତାରେକଙ୍କ ଝିଅ ନତାଶା ଫତେହ ତାଙ୍କ ପିତା ତାରେକ ଫତେହଙ୍କ ଅନେକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଫଟୋ ସେୟାର କରିବାବେଳେ ନତାଶା ଲେଖିଛନ୍ତି, ପଞ୍ଜାବର ସିଂହ, ଭାରତର ପୁଅ, କାନାଡାର ପ୍ରେମୀ, ସତ୍ୟ ବକ୍ତା, ନ୍ୟାୟ ପାଇଁ ସଂଗ୍ରାମୀ, ଦଳିତ ତଥା ଶୋଷିତଙ୍କ ତାରେକ ଫତେହଙ୍କ ଦେହାନ୍ତ ହୋଇଛି । ନତାଶା ଆହୁରି ମଧ୍ୟ ଲେଖିଛନ୍ତି ଯେ ଯେଉଁମାନେ ତାଙ୍କୁ ଜାଣିଥିଲେ ଏବଂ ତାଙ୍କୁ ଭଲ ପାଆନ୍ତି ସେମାନଙ୍କ ମାଧ୍ୟମରେ ତାଙ୍କ ବିପ୍ଳବ ବଞ୍ଚିବ ।

ଏହାପୂର୍ବରୁ ଅପ୍ରେଲ 21 ରେ ତାରେକ୍ ଫତେହଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ତାହା ଗୁଜବ ଥିଲା ବୋଲି ପରେ ଜଣାପଡ଼ିଥିଲା । ଇସଲାମ ଏବଂ ଆତଙ୍କବାଦ ଉପରେ ଖୋଲାଖୋଲି ସମାଲୋଚନା ପାଇଁ ତାରେକ ଜଣାଶୁଣା । ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ତାରେକ ଫତେହ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଫତେହ 1949 ମସିହାରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ପରେ ସେ 1980 ଦଶକ ପୂର୍ବରୁ କାନାଡା ଯାଇଥିଲେ । ତାରେକ୍ ଫତେହ ଅନେକ ଭାଷାରେ ଜ୍ଞାନବାନ ଥିଲେ । ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ, ପଞ୍ଜାବୀ ଏବଂ ଆରବୀ ଭଳି ଭାଷାରେ ତାଙ୍କର ଦକ୍ଷତା ଥିଲା । ତାରେକ ଫତେହ ଜଣେ ମାନବାଧିକାର କର୍ମୀ ଭାବରେ ମଧ୍ୟ ଜଣାଶୁଣା ଥିଲେ ।