ନବୀନଙ୍କ ତ୍ୟାଗ, ନିଷ୍ଠା ଓ କର୍ତ୍ତବ୍ୟ ପ୍ରରାୟଣ ମନ୍ତବ୍ୟକୁ ନେଇ ପାଣ୍ଡିୟାନଙ୍କୁ କଟାକ୍ଷ କଲେ ପିସିସି ମୁଖପାତ୍ର

ବ୍ରହ୍ମପୁର, ୧୮/୫ (ଅଭିଜିତ କର): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁବାଇ ଗସ୍ତକୁ ନେଇ ବିରୋଧୀ ଦଳ ନେତା ମାନେ ବହୁ ଆଲୋଚନା ଓ ସମାଲୋଚନା କରିଥିବା ବେଳେ, ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରର ଜଣେ ଜଣାଶୁଣା ଆଇନଜୀବୀ ତଥା ପିସିସି ମୁଖପାତ୍ର ପୀତବାସ ପଣ୍ଡା ଦୁବାଇ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଦୁବାଇରେ ନବୀନ ବାବୁଙ୍କୁ ପ୍ରଶଂସା କରି ସଚିବ ପାଣ୍ଡିୟାନ ମହୋଦୟ କହିଲେ ଯେ, ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ନବୀନ ବାବୁ କମ ଉଚ୍ଚତା ବିଶିଷ୍ଟ ଗାଡ଼ିରେ ଯିବା ଆସିବା କରନ୍ତି ଓ ଲୋକଙ୍କ ସୁବିଧା ପାଇଁ ସ୍ୱର୍ଗଦ୍ୱାରରୁ ନିଜ ବାପାଙ୍କ ସମାଧି ପୀଠକୁ ହଟେଇ ଦେଇଛନ୍ତି। ଏହାସହ ଆଗାମୀ ଭବିଷ୍ୟତ ବଂଶଧର ମାନେ ନବୀନ ପଟ୍ଟନାୟକଙ୍କର ଜୀବନୀ ଉପରେ ଗବେଷଣା କରିବେ ବୋଲି ମଧ୍ୟ କହିଛନ୍ତି । ଏହାସହ ନବୀନ ବାବୁ ଭୁବନେଶ୍ୱରରୁ କଟକ ଗଲେ ହେଲିକପ୍ଟର ବ୍ୟବହାର କରନ୍ତି, ତେଣୁ ଛୋଟ ଗାଡି ବ୍ୟବହାର କରି ଯେଉଁ ମିତ ବ୍ୟୟତାର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ପାଣ୍ଡିୟାନ ବାବୁ ଯେଉଁ କଥା କହିଛନ୍ତି ତାହା ମାତ୍ର ଧର୍ମକୁ ଆଖି ଠାର ।

ଦ୍ୱିତୀୟତଃ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟାଇବା ଘଟଣାରେ ନବୀନ ବାବୁଙ୍କର କୌଣସି ତ୍ୟାଗ ନାହିଁ, ସ୍ୱର୍ଗଦ୍ୱାର ଲୋକଙ୍କ ସମ୍ପତି, ଏଠି ପ୍ରତିଦିନ ଶହ ଶହ ଶବ ଦାହ କରାଯାଏ । ଏଣୁ ଆଜି ନହେଲେ କାଲି ଏହି ଅବରୋଧକୁ କେହି ନା କେହି ହଟାଇ ଦେଇଥାନ୍ତେ । ତୃତୀୟତଃ ନବୀନ ବାବୁଙ୍କ ଜୀବନ ଚର୍ଯା ବିଷୟରେ ଯେଉଁ ଗବେଷଣା କରିବା କଥା କୁହାଯାଇଛି, ଏହାସତ ଯେ ଆଗାମୀ ବଂଶଧର ନିଶ୍ଚୟ ଗବେଷଣା କରିବେ ଓଡ଼ିଆ ଭାଷା ନଜାଣି, ଓଡ଼ିଆ ଲୋକଙ୍କୁ ନମିଶି, ଦୀର୍ଘ ବର୍ଷ ଧରି କିପରି ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଲେ । ତେଣୁ ଏହି ପରିପ୍ରେକ୍ଷୀରେ ଆମ ଓଡିଶାରେ ଏପରି ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ କ୍ଷମତାରୁ ଗଲା ପରେ ରିକ୍ସା ଟିଏ ଡାକି ଟିଣ ପେଢିଟେ ଧରି ଭୁବନେଶ୍ୱର ରେଳ ଷ୍ଟେସନକୁ ଯାଇ ସେଠାରୁ ଅନୁଗୁଳ ଯାତ୍ରା କରିଥିଲେ, ସେ ହେଉଛନ୍ତି ସ୍ବର୍ଗତ ନବକୃଷ୍ଣ ଚୌଧୁରୀ । ଯିଏ କି ତ୍ୟାଗ, ନିଷ୍ଠା ଓ କର୍ତ୍ତବ୍ୟ ପ୍ରରାୟଣର ଜ୍ୱଳନ୍ତ ଉଦାହରଣ ବୋଲି କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ମୁଖପାତ୍ର ପୀତବାସ ପଣ୍ଡା ।