ସମ୍ବଲପୁର: 3 ଟଙ୍କା ପାଇଁ ଗ୍ରାହକଙ୍କୁ ଅପମାନିତ କରିବା ପଡ଼ିଲା ମହଙ୍ଗା । ଏବେ 25 ହଜାର ଟଙ୍କା ଫାଇନ୍ ଦେବେ ଦୋକାନୀ । ଗ୍ରାହକଙ୍କୁ ଅପମାନିତ କରିଥିଲେ ଦୋକାନୀ । ଘଟଣାଟି ଆପଣଙ୍କୁ ଚକ୍କିତ କରୁଥିଲେ ବି ସତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ଏମିତି କି ମାସେ ଭିତରେ 25 ହଜାର ଟଙ୍କା ଫାଇନ୍ ନ ଦେଲେ 9 ପ୍ରତିଶତ ସୁଧ ସହ ପୁଣି ଟଙ୍କା ଦେବାକୁ ପଡ଼ିବ । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଖାଉଟି ଅଦାଲତ ।
ମିଳିଥିବା ସୂଚନା ଅନୁସାରେ, ଗତ ଅପ୍ରେଲ 28 ତାରିଖ ଦିନ ସମ୍ବଲପୁର ଜଣେ ବ୍ୟକ୍ତି ବୁଢ଼ାରଜା ଅଞ୍ଚଳରେ ଥିବା ଏକ ଜେରକ୍ସ ଦୋକାନରେ ଗୋଟିଏ ପେଜ୍ କାଗଜର ଫଟୋ କପି ବାହାର କରିଥିଲେ । ଫଟୋ କପି ବାବଦକୁ 2 ଟଙ୍କା ହୋଇଥିବା ବେଳେ ଗ୍ରାହକ ଜଣକ 5 ଟଙ୍କା ଦେଇ 3 ଟଙ୍କା ଫେରସ୍ତ ପାଇଁ ଦୋକାନୀଙ୍କୁ କହିଥିଲେ । ତେବେ ଦୋକାନୀ ଆଉ ଟଙ୍କା ଫେରସ୍ତ କରିବେନି ବୋଲି କହିବା ପରେ ଗ୍ରାହକ ଜଣକ ଫେରସ୍ତ ପାଇଁ ଜିଦ୍ ଧରିଥିଲେ । ଏହାପରେ ଗ୍ରାହକଙ୍କୁ ର୍ଦୁବ୍ୟବହାର ସହ ଦୋକାନୀ ଜଣକ 5 ଟଙ୍କା ଫେରାଇ ଦେଇଥିଲେ । ଭିକାରୀକୁ ଦାନ ଦେଲେ ବୋଲି କହିଥିଲେ।
ଦୋକାନୀର ଏହି କଥା ଗ୍ରାହକଙ୍କୁ ବହୁତ ବାଧିଥିଲା । ସେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଦୋକାନୀ ନାଁରେ ଅଭିଯୋଗ କରିଥିଲେ । କୋର୍ଟ ଜେରେକ୍ସ ଦୋକାନୀଙ୍କୁ ହାଜର ହେବାପାଇଁ ନୋଟିସ କରିଥିଲେ । ହେଲେ ଜେରେକ୍ସ ଦୋକାନୀ 4 ଟି ଡେଟ୍ରେ ହାଜର ହୋଇନଥିଲେ । ପଞ୍ଚମ ଡେଟ୍ରେ ଜେରକ୍ସ ଦୋକାନୀ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ । କୋର୍ଟରେ ବିଚାର ହୋଇଥିଲା । କୋର୍ଟର ପ୍ରଥମ ଶୁଣାଣିରେ ଦୋକାନୀ ଉପରେ 200 ଟଙ୍କା ଫାଇନ ପକାଇଥିଲେ । ପରେ ଦ୍ୱିତୀୟ ଶୁଣାଣି ଜେରେକ୍ସ ଦୋକାନୀ ଉପରକୁ 500 ଟଙ୍କା ଫାଇନ ପକାଇଥିଲେ । ତୃତୀୟ ଶୁଣାଣି ବେଳକୁ କୋର୍ଟ 25 ହଜାର ଟଙ୍କା ଫାଇନ ଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।