ପୁଲିସ ଚାହା ପିଇବା ବେଳେ ଚମ୍ପଟ ମାରିଲା ଅଭିଯୁକ୍ତ । ଏଭଳି ଘଟଣା ଘଟିଛି ସମ୍ବୁଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢିପ ଛକ ନିକଟରେ। ପୁଲିସ ଅଭିଯୁକ୍ତକୁ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାକା ବନ୍ଦୀ କରି ଖୋଜୁଛି । ସୂଚନା ମୁତାବକ ୧୦ଦିନ ତଳେ ନାକଟିଦେଉଳ ଥାନା ଅଞ୍ଚଳରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲାରେ ଥିବା ଜାଣି ଗତକାଲି ନାକଟିଦେଉଳ ଥାନାର କିଛି ପୁଲିସ କର୍ମଚାରୀ ବୌଦ୍ଧ ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ।
ତେବେ ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ନାକଟିଦେଉଳ ଥାନାକୁ ଆଣୁଥିବାବେଳେ ପୋଲିସ କର୍ମଚାରୀଙ୍କର ବାଟରେ ଚା’ ପିଇବା ପାଇଁ ଇଚ୍ଛା ହେବାରୁ ଅଭିଯୁକ୍ତକୁ ଥାନାକୁ ନ ନେଇ ଥାନାଠୁ ୨ କିମି ଦୂରରେ ଥିବା ଗୋଧିଢିପ ଛକକୁ ଯାଇଥିଲେ। ସେଠାରେ ପୁଲିସ କର୍ମଚାରୀମାନେ ଗାଡ଼ି ରଖି ଚାହା ପିଉଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା। ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଖୋଜାଖୋଜି କରୁଛି ।