ସବୁଦିନ ପାଇଁ ଲିଭିଗଲା ୨୮ଟି ଅପରିଚିତ ମୃତଦେହଙ୍କ ପରିଚୟ । ୧୩୦ ଦିନ ପରେ ହେଲା ଶବ ସତ୍କାର । ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଭୁବନେଶ୍ୱର ଏମ୍ସ ପକ୍ଷରୁ ବିଏମସିକୁ ଶବ ହସ୍ତାନ୍ତର କରାଯିବା ପରେ ବିଏମସି ଶବ ସତ୍କାର ପ୍ରକ୍ରିୟା ଶେଷ ହୋଇଛି । ଭୁବନେଶ୍ୱର ଭରତପୁର ଶ୍ମଶାନରେ ସମସ୍ତ ୨୮ଟି ଅପରିଚିତଙ୍କ ଶବ ସତ୍କାର ଶେଷ ହୋଇଛି । ରାତି ସାରା ଅନ୍ତିମ ସଂସ୍କାର କରାଯାଇଥିଲା । ୪ ମାସ ତଳେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନଥିଲା ।
ଆଉ ପରିିଚୟ ଖୋଜିବାର ସମସ୍ତ ପ୍ରୟାସ ସରିଯିବା ପରେ ଅନ୍ତିମ ସଂସ୍କାର କରିଦେବା ବ୍ୟତୀତ ଆଉ କୌଣସି ବିକଳ୍ପ ହିଁ ନଥିଲା । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟିମ୍ ଏମ୍ସରେ ପହଞ୍ଚିଥିଲେ । ଏମ୍ସ, ସିବିଆଇ ଓ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇଥିଲା । ଏହା ଅଚିହ୍ନା ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ଭରତପୁର ଶ୍ମଶାନରେ ଶବ ସଂସ୍କାର କରିବା ପୂର୍ବରୁ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା । ସମସ୍ତ ମୃତଦେହର ଡିଏନ୍ଏ ନମୁନା ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ଯଦି କୌଣସି ମୃତକଙ୍କ ପରିବାର ଲୋକ ଅଭିଯୋଗ କରନ୍ତି, ତେବେ ନମୁନା ସହ ଡିଏନଏ ମ୍ୟାଚ୍ କରାଯିବ ।
ବିଶ୍ୱ ରେଳ ଇତିହାସରେ ସବୁଠାରୁ ଲୋମହର୍ଷକ ଦୁର୍ଘଟଣା ଭିତରୁ ବାହାନଗା ଦୁର୍ଘଟଣା ଏହା ଅନ୍ୟତମ । ସେହି ଦୁର୍ଘଟଣାକୁ ନା କିଏ ଭୁଲିଛି ନା ଭୁଲିବ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାସ୍ଥଳ ଯିଏ ନ ଦେଖିଛି ସେ ଅନୁମାନ ମଧ୍ୟ କରିପାରିବ ନାହିଁ। ସବୁଠି କ୍ଷତାକ୍ତ ଶରୀର ଏବଂ ଆର୍ତ୍ତ ଚିତ୍କାର । କିଛି ବ୍ୟକ୍ତି ଘଟଣା ସ୍ଥଳରୁ ନିଜ ପରିବାର ପରିଜନଙ୍କୁ ଚିହ୍ନଟ କରି ନେଇଯାଇଥିଲେ । କିନ୍ତୁ ଆହୁରି ୧୬୨ ମୃତ ଶରୀର ରହିଯାଇଥିଲା, ଯାହାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏମ୍ସକୁ ଅଣାଯାଇଥିଲା । ଏମ୍ସ ଆନାଟୋମି ଏବଂ ଫରେନସିକ ବିଭାଗର ମିଳିତ ପ୍ରୟାସରେ ଡାକ୍ତରୀ ଦଳ ଏହାକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖିଲେ । ଏମ୍ସ, ବିଏମ୍ସି, ରେଳବାଇ ଏବଂ ପୁଲିସ ସହାୟତାରେ ୮୧ଟି ଶବ ପରିବାର ଲୋକଙ୍କୁ ହସ୍ତାନ୍ତରିତ ହୋଇଥିଲା। ଡିଏନ୍ଏ ରିପୋର୍ଟ ପରେ ଆଉ ୫୩ ଶବଙ୍କୁ ତାଙ୍କ ପରିଜନ ଆସି ନେଇଗଲେ । କିନ୍ତୁ ୨୮ଶବ ବାକି ରହିଗଲା ଯାହାଙ୍କ ପରିଚୟ କିମ୍ବା ପରିଜନ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନଥିଲା । ଶେଷରେ ଏହା ଭରତପୁର ମଶାଣିରେ ପୋଡାଯାଇଛି ।