ଆଜି (ରବିବାର) ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ ହଜାର ସ୍କୁଲକୁ ଚୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି, ବର୍ତ୍ତମାନ ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୩୭ ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ଆଜି ଠାରୁ ପିଏମ ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ସ୍କୁଲ ପାଇଁ ପାଖାପାଖି ୫୦.୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୨.୭ କୋଟି ଟଙ୍କା ଏହି ବିଦ୍ୟାଳୟଗୁଡ଼ିକୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଛି । ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୋଟ ୭.୨୭ କୋଟି ଟଙ୍କା ଏବଂ ୨୬ଟି ନବୋଦୟ ବିଦ୍ୟାଳୟ ପାଇଁ ୫.୪୩ କୋଟି ଟଙ୍କା ବ୍ୟୟ କରାଯାଇ ସ୍କୁଲର ଉନ୍ନତିକରଣ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଅନ୍ୟପଟେ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପିଲା ମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ ପିଏମ ଶ୍ରୀର ଯୋଜନା କାର୍ଯ୍ୟକରିବ । ଏହି ମର୍ମରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସରକାରୀ ସ୍କୁଲରେ ପିଏମ ଶ୍ରୀ ଯୋଜନାକୁ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏମ ଶ୍ରୀ ଯୋଜନା ଓଡ଼ିଶା ସରକାର ଲାଗୁ କଲେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏ ସ୍କୁଲକୁ ପିଏମ ଶ୍ରୀ ସ୍କୁଲରେ ବିକଶିତ କରାଯିବ । ଗୋଟିଏ ସ୍କୁଲରେ ୨ କୋଟି ଟଙ୍କାର ଅନୁଦାନର ଦାୟିତ୍ଵ ନେବେ କେନ୍ଦ୍ର ସରକାର ।
ଓଡ଼ିଶାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ । ତେବେ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମର ଶିକ୍ଷା କ୍ଷେତ୍ରକୁ ଆଗକୁ ନେବା ପାଇଁ ପଡିବ । ବିଶେଷ ଭାବରେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ଏକବିଂଶ ଶତାବ୍ଦୀରେ ଉଚ୍ଚଶିକ୍ଷିତ କରି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିର ବିଚାରରେ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରାଯିବ, ଯେଉଁମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।