ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୮ତାରିଖ ସୁଦ୍ଧା ଲଘୁଚାପର ରୂପ ନେଇ ସମ୍ଭାବନା ରହିଛି । ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ସାମୁଦ୍ରିକ ଝଡର ରୂପ ନେବ । ତେବେ ବାତ୍ୟାର ଗତିପଥ କ’ଣ ହେବ ଲଘୁଚାପ ହେଲା ପରେ ଜଣାପଡିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୱିଣ୍ଡି ଡଟ୍ କମ୍ ପ୍ରଦର୍ଶିତ କରିଥିବା ଜିଏଫଏସ ମଡେଲର ଚିତ୍ର ଅନୁସାରେ ୯ ତାରିଖରୁ ୧୨ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବ ।
ଆସନ୍ତା ୧୦ ଓ ୧୧ ତାରିଖରେ ଉପକୂଳ ଆଡ଼କୁ ଗତି କରିବ ସହ ସ୍ଥଳ ଭାଗରେ ମାଡ଼ ହେବ ବାତ୍ୟା । ପ୍ରାୟ ସମସ୍ତ ମଡେଲ୍ ଅତି ଭୀଷଣ ସାମୁଦ୍ରିକ ଝଡ଼ ହୋଇପାରେ ବୋଲି ଆକଳନ କରୁଛି । ଯଦିଓ ମଡେଲର ଆକଳନ ବାରମ୍ବାର ବଦଳିଥାଏ, କିନ୍ତୁ ବର୍ତମାନର ଚିତ୍ର ଦର୍ଶାଉଛି ମିଆଁମାର ମୁହାଁ ହୋଇପାରେ ବାତ୍ୟା । କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତୀବ୍ରତା ଓ ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଭିତରର ସ୍ଥିତି ଏବେ ଯାହା ରହିଛି ତାହା ବାତ୍ୟା ପାଇଁ ଅନୁକୂଳ ରହିଛି ।