ବ୍ରହ୍ମପୁର, ୬/୯ (ଅଭିଜିତ କର): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ସୋମବାର ଠାରୁ ପ୍ରତିଦିନ ଦୁଇଟି ଲେଖାଏଁ ୱାର୍ଡକୁ ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷଙ୍କ ସମେତ ମେୟର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ୱାର୍ଡ ସଭା କାର୍ଯ୍ୟକ୍ରମରେ ଯୋଗଦାନ କରି ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି। ସେଥି ମଧ୍ୟରୁ ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୪ ନମ୍ବର ୱାର୍ଡରେ ୱାର୍ଡ ସଭା ତଥା ଜନ ଅଭିଯୋଗ ଶୁଣାଣି ରହିଥିବା ବେଳେ, ସାମାଜିକ ସୁରକ୍ଷା ଭର୍ତ୍ତାକୁ ନେଇ ସର୍ବାଧିକ ଅଭିଯୋଗ ରହିଥିବା ଦେଖିବାକୁ ମିଳିଛି। ବହୁ ହିତାଧିକାରୀଙ୍କୁ ଦୀର୍ଘଦିନ ହେବ ନିୟମିତ ଭାବେ ଭର୍ତ୍ତା ଟଙ୍କା ମିଳୁ ନଥିବା ହିତାଧିକାରୀ ମାନେ ଅଭିଯୋଗ କରିଥିଲେ।
ସେହିପରି ପାନୀୟ ଜଳର ସମସ୍ୟାକୁ ନେଇ ମଧ୍ୟ କିଛି ସ୍ଥାନରେ ଅଭିଯୋଗ ହୋଇଛି। ତେବେ ସମସ୍ତ ଅଭିଯୋଗକୁ ଗ୍ରହଣ କରିବା ସହ ତୁରନ୍ତ ସମାଧାନ ଦିଗରେ ବିଇଏମସି କାର୍ଯ୍ୟ କରିବ ବୋଲି ମହାନଗର ନିଗମ ଆୟୁକ୍ତ ଜେ ସୋନଲ କହିଥିଲେ। ସେହିପରି ଆଜିର ଏହି ଅଭିଯୋଗ ଶୁଣାଣିରେ ନିଗମ ମେୟର ସଂଘମିତ୍ରା ଦଲେଇ, କମିଶନର ଜେ ସୋନାଲଙ୍କ ସମେତ ଡେପୁଟି କମିଶନର ବିନୋଦ ବେହେରା, କର୍ପୋରେଟର ସବିତା ସାହୁ, ସନ୍ଧ୍ୟାରାଣୀ ଶୁକ୍ଲ, ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଲ, ଗୋଷ୍ଟୀ ସଂଯୋଜିକା ଗିତାଞ୍ଜଳୀ ସାମନ୍ତରାୟ, ଜୟଶ୍ରୀ ପାଣିଗ୍ରାହୀ, ଯନ୍ତ୍ରୀ ଶୁଭସ୍ମିତା ପୃଷ୍ଟିଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିପରି ୪ ନମ୍ବର ୱାର୍ଡରେ ଅତିଥିଙ୍କ ଉପସ୍ଥିତିରେ ଅଙ୍ଗନବାଡୀ ପିଲାଙ୍କୁ ପୋଷାକ ବିତରଣ କରାଯାଇଥିଲା ଏବଂ ପ୍ରତି ୱାର୍ଡରୁ ବହୁ ସଂଖ୍ୟକ ଜନ ସାଧାରଣ ଆସି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏହା ସହିତ ସମସ୍ୟା ଗୁଡିକର କିପରି ସମାଧାନ ଖୁବଶୀଘ୍ର ହେବ ସେଥିପାଇଁ ସେହି ବିଭାଗର ଅଧିକାରୀ ମାନଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।