ଗଂଜାମ ତାରାସିଙ୍ଗି ଥାନା ଗେରେଡା ଗ୍ରାମରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗେରେଡା ଗ୍ରାମର ରମେଶ ନାଇକଙ୍କ ଝିଅ ମାଳତୀ ନାଇକ(୨୬)। ମାଳତୀ ବେଲଗୁଣ୍ଠାରେ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ ସନ୍ତୋଷ ରାଜ୍ୟ ବାହାରେ କାମ କରୁଛନ୍ତି। ତାର ଏକ ବର୍ଷର ଗୋଟିଏ ପୁଅ ରହିଛି। ଗତ ୪ ଦିନ ପୂର୍ବେ ମାଳତୀ ବାପା ଘରକୁ ଆସିଥିବା ବେଳେ ସେ ଗେରେଡା ଗ୍ରାମ ନିକଟ ପେଣ୍ଡୁରାବାଲୀ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ସେଠାରେ ଦୀପ ନିଆଁରେ ପୋଡି ହୋଇ ନିଜର ଜୀବନ ରକ୍ଷା କରିବାକୁ ନିକଟସ୍ଥ ଏକ କୂଅକୁ ଡେଇଁ ପଡ଼ିଥିଲେ ।
ସେହି ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ମାଳତୀକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିବା ତାଙ୍କ ବାପା ରମେଶ ପ୍ରକାଶ କରିଛନ୍ତି। ଏହାପରେ ସେମାନେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ମାଳତୀକୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ତାରାସିଙ୍ଗି ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ତେବେ ମହିଳା ଜଣକ କିଭଳି ଏକାକି ଜଙ୍ଗଲ ମଧ୍ୟ ମନ୍ଦିରକୁ ଯାଇଥିଲେ କିଭଳି ନିଆଁ ଲାଗିଲା ଏଭଳି ଅନେକ ପ୍ରଶ୍ନ ସୃଷ୍ଟି କରିଛି ।