ଆଜି ବିଶ୍ୱ ହୃଦୟ ଦିବସ: କାହିଁକି ଓ କେବେଠୁ ପାଳନ ହେଉଛି ଏହି ଦିବସ ?

ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’(World heart day) ପାଳନ କରାଯାଏ। ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି। ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ। ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ।

ଏହି ଦିନ ପ୍ରଥମେ ୨୦୦୦ ମସିହାରୁ ପାଳନ କରାଗଲା। ଏହାପରେ ଏହି ଦିନକୁ ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ରବିବାର ଦିନ ପାଳନ କରିବାକୁ ଧାର୍ଯ୍ୟ କରାଗଲା। କିନ୍ତୁ ୨୦୧୪ ମସିହାରେ ଏଥିରେ ପରିବର୍ତ୍ତନ କରାଯାଇ ସେପ୍ଟେମ୍ବର ୨୯ରେ  ‘ବିଶ୍ୱ ହୃଦୟ ଦିବସ’ ପାଳନ କରିବା ପାଇଁ ସ୍ଥିର କରାଗଲା। ସେବେଠାରୁ ଆଜିର ଦିନରେ ଏହି ଦିବସକୁ ପାଳନ କରାଯାଉଛି।

ତେବେ ଉଚିତ ଖାଦ୍ୟ, ପାନୀୟ ଗ୍ରହଣ କଲେ, ବ୍ୟାୟାମ କଲେ, ଧୂମପାନ ବର୍ଜନ କଲେ ହାର୍ଟ ସୁସ୍ଥ ରହିଥାଏ। ନ ହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟା ଭିତରୁ ହୃଦଘାତ ଗୋଟିଏ। ଏହା ଅତି ମାରାତ୍ମକ। ପୁଷ୍ଟିକର ଖାଦ୍ୟର ଅଭାବ, ପ୍ରଦୂଷିତ ପରିବେଶ, ଜୀବନଶୈଳୀ ଏହାର ମୁଖ୍ୟ କାରଣ।

ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା ଆଦି ମଧ୍ୟ ହୃଦରୋଗକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ। ତେଣୁ ସମସ୍ତଙ୍କୁ ଏସବୁ ସମ୍ପର୍କରେ ସଚେତନ କରାଇବା ‘ବିଶ୍ୱ ହୃଦୟ ଦିବସ’ର ଲକ୍ଷ୍ୟ।