ଆସନ୍ତା ୩୦ରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିବାକୁ ଆସନ୍ତା ୩୦ ତାରିଖରେ ଛତ୍ରପୁର ଆସିବେ। ସେ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବାରୁ ନାମାଙ୍କନ ଦାଖଲ କରିବାକୁ ଛତ୍ରପୁର ଉପଜିଲାପାଳ କାର୍ଯ୍ୟାଳୟରେ ପହଞ୍ଚିବେ। ତେବେ ଛତ୍ରପୁର ପହଞ୍ଚିବା ପୂର୍ବରୁ ସେ ମା’ ତାରାତାରୀଣିଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଅପ୍ରେଲ ୩୦ ତାରିଖ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକେପ୍ଟରରେ ଆସି ତାରାତାରିଣୀ ଛକ ନିକଟ ନରସିଂହପୁର ଛକ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ।

ସେଠାରୁ କାର ଯୋଗେ ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିବେ। ଦର୍ଶନ ସାରି ପୁଣିଥରେ ହେଲିପ୍ୟାଡକୁ ଫେରି ହେଲିକେପ୍ଟର ଯୋଗେ ଛତ୍ରପୁର ସ୍ଥିତ ଅନସ୍ଲୋ ସ୍କୁଲ ପରିସର ହେଲିପ୍ୟାଡରେ ଓହ୍ଲାଇବେ। ସେଠାରୁ କାର୍‌ ଯୋଗେ ଛତ୍ରପୁର ସର୍କିଟ ହାଉସ ଯାଇ କିଛି ସମୟ ରହିବା ପରେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ନାମାଙ୍କନ ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଛତ୍ରପୁର ଗସ୍ତ କରିବେ ବୋଲି ଶୁଣିବାକୁ ମିଳୁଛି। ଏହି ସମୟରେ ବହୁ ବିଜେଡି ନେତା ଓ କର୍ମୀଙ୍କ ସମାବେଶ ହେବ ବୋଲି ଜଣାପଡିଛି।

Back to top button