ଆଜି ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେଡ଼ି ସୁପ୍ରିମୋ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ମଙ୍ଗଳବାର) ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ। ଏଥିପୂର୍ବରୁ ସେ ପ୍ରଥମେ ମା’ ତାରାତାରିଣୀଙ୍କ ପୀଠକୁ ଯିବେ। ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଜେଡ଼ି ପକ୍ଷରୁ ଛତ୍ରପୁରରେ ବିରାଟ ପଟୁଆରର ଆୟୋଜନ ହୋଇଥିବା ସୂଚନା ରହିଛି। ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି।

ସୁରକ୍ଷା ଦୃଷ୍ଟିରୁ ପୁରୁଷୋତ୍ତମପୁର ଥାନା ଅଧୀନ ନରସିଂହପୁର ଛକ ଠାରୁ ତାରାତାରାଣୀ ଏବଂ ଛତ୍ରପୁରରେ ୧୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ସେହିପରି ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୮ ଜଣ ଡିଏସ୍‌ପି, ୧୭ ଇନ୍ସପେକ୍ଟର, ୬୨ ଜଣ ଏସ୍‌ଆଇଙ୍କୁ ମିଶାଇ ୯୦ ଅଫିସର ଏବଂ ୨ଟି ଏସ୍‌କର୍ଟ ଗାଡ଼ିର ବ୍ୟବସ୍ଥା ହୋଇଥିବା ଗଞ୍ଜାମ ଏସ୍‌.ପି. ଜଗମୋହନ ମୀନା ସୂଚନା ଦେଇଛନ୍ତି। ସୂଚନା ଥାଉକି, ୨୦୦୦ ମସିହାରୁ ଲଗାତାର ଭାବେ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ତଥାପି ହିଞ୍ଜିଳି ତାଙ୍କ ପ୍ରାଥମିକତା ସୂଚୀରେ ରହିଛି। ଆସିକା ଲୋକସଭା ଆସନ ଅନ୍ତର୍ଗତ ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଆସନ୍ତା ୨୦ ତାରିଖରେ ମତଦାନ ହେବ। ସେଥିପାଇଁ ଏବେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ।

Back to top button