ପୋଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା, ୨ ଯବାନ ଆହତ
ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ କ୍ୟାମ୍ପ୍ ଉପରେ ମାଓ ହମଲା ହୋଇଛି । ଚିନ୍ତଲନାର ଥାନା ଅଧିନସ୍ଥ ଗୋମଗୁଡା ପୋଲିସ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି । ଫଳରେ ସିଆରପିଏଫର ୨ ଜଣ କୋବ୍ରା କମାଣ୍ଡର୍ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଆହତ ଯବାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।
ଗତ ଦୁଇଦିନ ତଳେ ଗୋମଗୁଡାରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସିଆରପିଏଫର ଏକ କ୍ୟାମ୍ପ ସ୍ଥାପନା କରାଯାଇଥିଲା । ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୁରକ୍ଷାବାହୀନିଙ୍କ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା । ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା ।
ଯବାନଙ୍କ ପାଲଟା ଗୁଳିରେ ଲାଲବାହିନୀ ଛତ୍ରଭଙ୍ଗ ଦେଇଥିଲେ । ତେବେ ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିସ୍ଚା ପରେ ସେମାନେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଏହା ପରେ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପେରସନକୁ ଜୋରଦାର କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅନ୍ୟପକ୍ଷରେ ମାଓ ବିରୋଧୀ ଅଭିଯାନରେ ପୋଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି । ଗତ ରବିବାର ମାଓ ନେତା ପ୍ରଭାକରକୁ ଗିରଫ କରାଯାଇଛି । ଛତିଶଗଡ଼ କାଙ୍କେର ଜିଲ୍ଲା ଜଙ୍ଗଲରୁ ତାକୁ ଗିରଫ କରାଯାଇଛି । ତା ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ଦୀର୍ଘ ୪୦ ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ଥିଲା ।