ପରଲୋକରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର (ଡାକ୍ତର) ସଞ୍ଜୟ କୁମାର ଶତପଥୀ ପରଲୋକ ଘଟିଛି । ବୁଧବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡ଼ିକାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର ଭାରାପ୍ରାପ୍ତ କୁଳପତି ନିବେଦିତା ରଥ ।
ଚଳିତ ବର୍ଷ ଏପ୍ରିଲ ମାସରେ ସଞ୍ଜୟ ଶତପଥୀ ଦୂରାରୋଗ୍ୟ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ପ୍ରଥମେ ମୁମ୍ବାଇର ଏକ ଘରୋଇ ମେଡ଼ିକାଲରେ ଚିକିସ୍ଚିତ ହେଉଥିଲେ । ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବୁଦ୍ଧିଜୀବିଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
୨୦୨୧, ଏପ୍ରିଲ ୧୬ରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡାକ୍ତର ସଞ୍ଜୟ ଶତପଥୀ । କଟକ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ୧୯୮୪ ମସିହାରେ କଟକ କଲେଜ୍ ରେ ବାଣିଜ୍ୟ ଅଧ୍ୟାପକ ଭାବେ କାର୍ଯ୍ୟକରିଥିବା ପ୍ରଫେସର ଶତପଥୀ ପରବର୍ତ୍ତୀ ସମୟରେ ରାଉରକେଲା, ଭବାନୀପାଟଣା, ବାଲେଶ୍ଵର, ବାରିପଦା, ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ କଟକ ରେଭେନ୍ସା କଲେଜରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସେ ଅବସର ଗ୍ରହଣ କରିଥିଲେ ।
ଡାକ୍ତର ସଞ୍ଜୟ ଶତପଥୀ ଏକାଧାରାରେ ଜଣେ କବି, ଟିଭି ଉପସ୍ଥାପକ, ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଅଭିନେତା ମଧ୍ୟ ଥିଲେ । ସେ ଟିଭି ପରଦାରେ ଛୋଟ ଛୋଟ ଅଭିନୟ ମଧ୍ୟ କରିଛନ୍ତି । ସଞ୍ଜୟ ଶତପଥୀ ୧୩ଟି ପାଠ୍ୟ ପୁସ୍ତକ ସମେତ ୨୪ଟି ପୁସ୍ତକ ରଚନା କରିଛନ୍ତି । ସେ ୨୦ଟି ପିଏଚଡି ଲାଗି ସଫଳତାର ସହ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଛନ୍ତି । ସେ ନିଜର ତାଙ୍କର ୩୬ ବର୍ଷରୁ ଅଧିକ ଚାକିରିକାଳ ମଧ୍ୟରେ ଅନେକ ପୁରସ୍କାର ଏବଂ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।